ଓଟିଟି ପ୍ଲାଟ୍‌ଫର୍ମରେ ଅଶ୍ଳୀଳ କଣ୍ଟେଣ୍ଟ୍ ନେଇ ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ

ନୂଆଦିଲ୍ଲୀ – ଓଟିଟି (ଓଭର ଦି ଟପ୍‌) ପ୍ଲାଟ୍‌ଫର୍ମ ଗୁଡିକରେ ପ୍ରଦର୍ଶିତ ହେଉଥିବା କଣ୍ଟେଣ୍ଟ୍ ନେଇ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି । କିଛି ଓଟିଟି ପ୍ଲାଟ୍‌ଫର୍ମରେ ଅଶ୍ଲୀଳ କଣ୍ଟେଣ୍ଟ୍ ବି ପ୍ରଦର୍ଶିତ ହେଉଛି । ଏହି ୱେବ୍ ସିରିଜ ଗୁଡିକର ସ୍କ୍ରିନିଂ ଜରୁରୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଓଟିଟି ପ୍ଲାଟ୍‌ଫର୍ମ ପଇଁ ନିକଟରେ ଜାରି କରାଯାଇଥିବା ଗାଇଡ୍ ଲାଇନ୍‌ର ସମୀକ୍ଷା କରାଯିବ ବୋଲି କୋର୍ଟ କହିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ କୋର୍ଟ ଶୁକ୍ରବାରକୁ ସ୍ଥଗିତ ରଖିଛନ୍ତି ।

‘ତାଣ୍ଡବ’ ସିରିଜ ନେଇ ଲକ୍ଷ୍ନୌରେ ରୁଜୁ ହୋଇଥିବା ମାମଲାରେ ତାଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇବା ପାଇଁ ଆମାଜନ ପ୍ରାଇମ ଭିଡିଓର କଣ୍ଟେଣ୍ଟ୍ ହେଡ୍ ଅପର୍ଣ୍ଣା ପୁରୋହିତଙ୍କ ଏକ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏହା କହିଛନ୍ତି । ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟ ଅପର୍ଣ୍ଣାଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଦେଇଥିଲେ । ଏହା ବିରୋଧରେ ସେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ ।
କେନ୍ଦ୍ର ସରକାର ଫେବୃୟାରୀ ୨୫ରେ ଓଟିଟି ଏବଂ ସୋସିଆଲ ମିଡିଆ ପାଇଁ ନୂଆ ନିୟମ ଆଣିଥିଲେ । ଭାରତରେ ବ୍ୟବସାୟ କରୁଥିବା ସବୁ ସୋସିଆଲ ମିଡିଆ କମ୍ପାନୀ ଏହି ନିୟମ ମାନିବାକୁ ପଡିବ ବୋଲି ସରକାର କହିଥିଲେ । ଏହି ନୂଆ ନିୟମାନୁସାରେ ଓଟିଟି ପ୍ଲାଟ୍‌ଫର୍ମ ଏବଂ ଡିଜିଟାଲ ମିଡିଆଙ୍କୁ ନିଜର ଠିକଣା, କଣ୍ଟେଣ୍ଟ୍‌ର ରୂପରେଖ ଏବଂ ସେମାନଙ୍କ ସବସ୍କ୍ରାଇବର ସଂଖ୍ୟା ସମ୍ପର୍କରେ ସୂଚନା ଦେବାକୁ ପଡିବ । ସେମାନଙ୍କୁ ନିଜସ୍ୱ ଏକ ସେନ୍‌ସର ବ୍ୟବସ୍ଥା କରିବାକୁ ପଡିବ ।
ଉଲ୍ଲେଖଯୋଗ୍ୟ ଯେ, ଆମାଜନ ପ୍ରାଇମ୍ ଭିଡିଓର ସିରିଜ ‘ତାଣ୍ଡବ’କୁ ନେଇ ଉତ୍ତର ପ୍ରଦେଶ ପୋଲିସ୍ ଏହି ସିରିଜର ନିର୍ମାତା, ନିର୍ଦ୍ଦେଶକ ଏବଂ ପ୍ରାଇମ ଭିଡିଓର କଣ୍ଟେଣ୍ଟ୍ ହେଡ୍ ଅପର୍ଣ୍ଣା ପୁରୋହିତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ‘ତାଣ୍ଡବ’ରେ ହିନ୍ଦୁ ଦେବାଦେବୀଙ୍କୁ ଆପତ୍ତିଜନକ ଭାବେ ଚିତ୍ରଣ କରାଯାଇଥିବା ଅଭିଯୋଗ ହୋଇଥିଲା ।

Comments are closed.