‘ଟିକା ଉତ୍ସବ’ କରୋନା ବିରୋଧରେ ଦ୍ୱିତୀୟ ବଡ଼ ଲଢ଼େଇ: ମୋଦି

ନୂଆଦିଲ୍ଲୀ – ଦେଶରେ କରୋନା ସଂକ୍ରମଣ ବିସ୍ଫୋରଣ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆଜି ଠାରୁ ଦେଶବ୍ୟାପୀ ଆରମ୍ଭ ହୋଇଛି ‘ଟିକା ଉତ୍ସବ’ । ଏପ୍ରିଲ ୧୪ ଯାଏଁ ପାଳନ ହେବାକୁ ଥିବା ‘ଟିକା ଉତ୍ସବ’ ସହ କୋଭିଡ୍‌-୧୯ ବିରୋଧରେ ଦ୍ୱିତୀୟ ବଡ଼ ଲଢ଼େଇ ଆରମ୍ଭ ହୋଇଛି ବୋଲି ମୋଦି କହିଛନ୍ତି । ଏଥିସହ ସେ ଲୋକଙ୍କୁ କରୋନାକୁ ରୋକିବା ପାଇଁ ସାମାଜିକ ଓ ବ୍ୟକ୍ତିଗତ ସ୍ୱଚ୍ଛତା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ।
ମୋଦି ଚାରିଟି ବିଷୟ ଉପରେ ବିଶେଷ ଧ୍ୟାନ ଦେବାକୁ ଲୋକଙ୍କୁ କହିଛନ୍ତି । ପ୍ରଥମତଃ କମ୍ ଶିକ୍ଷିତ ଓ ବୟସ୍କ ଲୋକଙ୍କୁ ଟିକା ଲଗାଇବାରେ ସାହାଯ୍ୟ କରିବା, ଯେଉଁମାନଙ୍କ ପାଖରେ ସାଧନ ନାହିଁ କିମ୍ବା ଟିକାକରଣ ସମ୍ପର୍କରେ ସଚେତନ ନୁହଁନ୍ତି, ସେମାନଙ୍କୁ ମଧ୍ୟ ଟିକାକରଣରେ ସହଯୋଗ କରିବା ଏବଂ ମାସ୍କ ପରିଧାନ ସହ ନିଜ ସହ ଅନ୍ୟମାନଙ୍କୁ ସଂକ୍ରମିତ ହେବାରୁ ରକ୍ଷା କରିବା । ଏହାସହ ଚତୁର୍ଥ ଗୁରୁତ୍ୱପୂର୍ଣ୍ଣ କଥା ହେଲା କୌଣସି ଲୋକ ଯଦି କରୋନା ସଂକ୍ରମିତ ହେଲା, ତେବେ ଉକ୍ତ ଅଞ୍ଚଳରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ତିଆରି କରିବାର ନେତୃତ୍ୱ ସମାଜର ସବୁ ପରିବାର ଓ ଲୋକଙ୍କୁ ନେବାକୁ ପଡିବ ।

ଭାରତ ଭଳି ଜନବହୁଳ ଦେଶରେ କରୋନା ବିରୋଧରେ ଲଢ଼େଇରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ । ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ନେଇ ଆମେ କେତେ ସଚେତନ ତାହା କରୋନା ବିରୋଧୀ ଲଢ଼େଇରେ ଆମର ସଫଳତା ନିର୍ଦ୍ଧାରଣ କରିବ ବୋଲି ମୋଦି କହିଛନ୍ତି ।

ଆଜି ଠାରୁ ଏପ୍ରିଲ ୧୪ ପର୍ଯ୍ୟନ୍ତ ‘ଟିକା ଉତ୍ସବ’ ଅବସରରେ ଅଧିକରୁ ଅଧିକ ଯୋଗ୍ୟ ବ୍ୟକ୍ତିଙ୍କ ଟିକାକରଣ କରିବା ଉପରେ ଉଦ୍ୟମ କରିବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅପିଲ କରିଛନ୍ତି ।

Comments are closed.