ଟିକା ନେବା ପରେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ – ଟିକା ନେବା ପରେ ଗୁରୁଗାଓଁରେ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ୫୬ ବର୍ଷୀୟା ସ୍ୱାସ୍ଥ୍ୟକର୍ମୀ ଜାନୁୟାରୀ ୧୬ରେ କୋଭିଡ୍ ଟିକା ନେଇଥିଲେ । ଶୁକ୍ରବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁର କାରଣ ଏ ଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଏହା ଟିକାଜନିତ ନୁହେଁ ବୋଲି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ।

ରାଜୱନ୍ତି ନାମ୍ନୀ ଉକ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ଟିକାକରଣ ଅଭିଯାନର ପ୍ରଥମ ଦିନରେ କୋଭିସିଲ୍ଡ ଟିକା ନେଇଥିଲେ । ଟିକା ନେବା ପରେ ତାଙ୍କ ଠାରେ କୌଣସି ପାଶ୍ୱର୍ପ୍ରତିକ୍ରିୟା ଦେଖା ଯାଇନଥିଲା । ସେ ସ୍ଥାନୀୟ ଭାଙ୍ଗ୍ରୋଲା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାମ କରୁଥିଲେ । ଶୁକ୍ରବାର ସକାଳେ ତାଙ୍କର ହଠାତ୍ ମୃତ୍ୟୁ ହୋଇଯାଇଥିଲା ବୋଲି ଗୁରଗାଓଁ ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ବୀରେନ୍ଦ୍ର ଯାଦବ କହିଛନ୍ତି । ତାଙ୍କର ପୋଷ୍ଟମର୍ଟମ ହୋଇଥିଲେ ବି ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡି ନାହିଁ । ମୃତ୍ୟୁର କାରଣ ଜାଣିବା ପାଇଁ ତାଙ୍କର ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ସେ କହିଛନ୍ତି । ହୃଦଘାତରେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ତେବେ ମୃତ ସ୍ୱାସ୍ଥ୍ୟକର୍ମୀଙ୍କ ପରିବାର ଲୋକେ ତାଙ୍କର ମୃତ୍ୟୁ ଟିକାଜନିତ ବୋଲି ଅଭିଯୋଗ କରିଛନ୍ତି ।

Comments are closed.