ଟିକା ପାଇଁ ଭାରତକୁ କଞ୍ଚାମାଲ ଯୋଗାଇବାକୁ ଆମେରିକା ରାଜି

ନୂୂଆଦିଲ୍ଲୀ: କୋଭିଶିଲ୍ଡ ଟିକା ଉତ୍ପାଦନ ପାଇଁ ଆବଶ୍ୟକ କଞ୍ଚାମାଲ ଯୋଗାଇବାକୁ ଆମେରିକା ରାଜି ହୋଇଛି।

ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ମଧ୍ୟ ଏ ସମ୍ପର୍କରେ ଟ୍ୱିଟ କରି ସ୍ପଷ୍ଟ କରିଛନ୍ତି।

ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଟ୍ୱିଟ୍ କରି କହିଛନ୍ତି ଯେ ମହାମାରୀ ଆରମ୍ଭରେ ଯେପରି ଭାରତ ଆମେରିକାକୁ ସାହାଯ୍ୟ କରିଥିଲା, ସେହିଭଳି ଆମେ ମଧ୍ୟ ଏହି ସମୟରେ ଭାରତକୁ ସାହାଯ୍ୟ କରିବାକୁ ସ୍ଥିର କରିଛୁ।

ଆମେରିକାର ଉପ-ରାଷ୍ଟ୍ରପତି କମଲା ହ୍ୟାରିସ୍ ମଧ୍ୟ କୋଭିଡ ମହାମାରୀର ଏହି ସଙ୍କଟ ସମୟରେ ଭାରତକୁ ସହଯୋଗ ବିଷୟରେ କହିଛନ୍ତି।

ସେ ଟ୍ୱିଟ୍ କରି କହିଛନ୍ତି, “କରୋନା ମହାମାରୀର ଏହି ବିସ୍ଫୋରକ ସ୍ଥିତିରେ ଆମେରିକା ଭାରତ ସରକାରଙ୍କ ସହ ଘନିଷ୍ଠ ଭାବେ କାର୍ଯ୍ୟ କରୁଛି। ଆମେ ଭାରତକୁ ସହଯୋଗ କରୁଛୁ। ସାହସୀ ସ୍ୱାସ୍ଥ୍ୟ କର୍ମୀଙ୍କ ସମେତ ଭାରତର ଲୋକଙ୍କ ପାଇଁ ଆମେ ପ୍ରାର୍ଥନା କରୁଛୁ।

ରବିବାର ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସଲିଭାନ୍ ଏବଂ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଫୋନରେ ଭାରତରେ କରୋନା ସଂକ୍ରମଣର ବଢୁଥିବା ମାମଲା ବିଷୟରେ କଥା କହିଥିଲେ, ଯାହା ପରେ କଞ୍ଚାମାଲ ଯୋଗାଣ ସମ୍ପର୍କରେ ଆମେରିକା ପକ୍ଷରୁ ଏହି ବିବୃତ୍ତି ଆସିଥିଲା।

ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସଲିଭାନ୍ ଭାରତରେ କରୋନା ସଙ୍କଟ ବିଷୟରେ ବାର୍ତ୍ତାଳାପ ସମୟରେ ସହାନୁଭୂତି ପ୍ରକାଶ କରିଥିଲେ।

ପୂର୍ବରୁ ଟିକା ଉତ୍ପାଦନ ପାଇଁ କଞ୍ଚାମାଲ ରପ୍ତାନୀ ଉପରୁ କଟକଣା ହଟାଇବାକୁ ସେରମ୍ ଇନଷ୍ଟିଚ୍ୟୁଟ ଅଧ୍ୟକ୍ଷ ଆଦର ପୁନାଓ୍ବାଲା ଆମେରିକା ରାଷ୍ଟ୍ରପତିଙ୍କୁ ଟ୍ବିଟ୍ କରି ଅନୁରୋଧ କରିଥିଲେ ।

Comments are closed.