ଟିଭି ଅଭିନେତ୍ରୀ ଚିତ୍ରାଙ୍କ ଆତ୍ମହତ୍ୟା ମାମଲାରେ ସ୍ୱାମୀ ହେମନ୍ତ ଗିରଫ

ଚେନ୍ନାଇ – ଲୋକପ୍ରିୟ ଟିଭି ଅଭିନେତ୍ରୀ ଭିଜେ ଚିତ୍ରାଙ୍କ ଆତ୍ମହତ୍ୟା ମମଲାରେ ତାଙ୍କ ସ୍ୱାମୀ ହେମନ୍ତ ରବି ଗିରଫ ହୋଇଛନ୍ତି । ଚିତ୍ରାଙ୍କୁ ଆତ୍ମହତ୍ୟା ପାଇଁ ଉସ୍‌କାଇବା ଅଭିଯୋଗରେ ଚେନ୍ନାଇ ପୋଲିସ ମଙ୍ଗଳବାର ରବିଙ୍କୁ ଗିରଫ କରିଛି ।

ଗତ ଡିସେମ୍ବର ୯ରେ ଚେନ୍ନାଇର ଏକ ହୋଟେଲ ରୁମରୁ ଚିତ୍ରାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ଚିତ୍ରା ଓ ହେମନ୍ତ ଦୁଇ ମାସ ତଳେ କୋର୍ଟ ବିବାହ କରିବା ପରେ ଏକାଠି ରହୁଥିଲେ । ଜାନୁୟାରୀରେ ପାରମ୍ପରିକ ଭାବେ ବିବାହ ଉତ୍ସବ ସହ ରିସେପସନର ଆୟୋଜନ ଯୋଜନା କରିଥିଲେ । ତେବେ ବିଭିନ୍ନ ଟିଭି ସିରିଏଲ୍ ଓ ରିଆଲିଟି ସୋ’ରେ ଅନ୍ତରଙ୍ଗ ଦୃଶ୍ୟ ସୁଟିଂ ନେଇ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି ହୋଇଥିଲା ।

ଚିତ୍ରା ଅନ୍ତରଙ୍ଗ ଦୃଶ୍ୟ କରନ୍ତୁ ବୋଲି ରବି ଚାହୁଁନଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଘଟଣାଦିନ ଉଭୟ ଗୋଟିଏ ହୋଟେଲରେ ରହୁଥିଲେ । ସେଦିନ ଚିତ୍ରା ରାତି ପ୍ରାୟ ଅଢ଼େଇଟାରେ ସୁଟିଂ ସାରି ହୋଟେଲକୁ ଫେରିବା ପରେ ବାଥରୁମ୍ ଯାଇଥିଲେ । ବାଥରୁମ୍ ରୁ ଚିତ୍ରା ନ ଫେରିବା ପରେ ରବି କବାଟ ବାଡେଇଥିଲେ । ଭିତର ପଟୁ ଉତ୍ତର ନ ମିଳିବା ପରେ ସେ ହୋଟେଲ୍ କର୍ମଚାରୀଙ୍କୁ ଡାକି ନକଲି ଚାବି ଦ୍ୱାରା ବାଥରୁମ୍ କବାଟ ଖୋଲି ଦେଖିଲା ବେଳକୁ ଚିତ୍ରା ରଶି ଲଗାଇ ଆତ୍ମହତ୍ୟା କରିଥିଲେ ।

Comments are closed.