ଟିମ୍ ଇଣ୍ଡିଆ ଅଧିନାୟକ କୋହଲି ନେଲେ କୋଭିଡ୍ ଟିକାର ପ୍ରଥମ ଡୋଜ୍‌

ମୁମ୍ବାଇ: ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି କୋଭିଡ୍ ଟିକାର ପ୍ରଥମ ଡୋଜ୍ ଗ୍ରହଣ କରିଛନ୍ତି । ଟିକା ନେଉଥିବା ସମୟର ଫଟୋ ମଧ୍ୟ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଫଟୋରେ କୋହଲି ମାସ୍କ ପିନ୍ଧି ଟିକା ନେଉଥିବା ଦେଖିବାକୁ ମିଳୁଛି ।

ଏହି ଷ୍ଟାର ବ୍ୟାଟ୍ସମ୍ୟାନ୍ ପ୍ରଶଂସକ ଓ ଦେଶବାସୀଙ୍କୁ ମଧ୍ୟ କୋଭିଡ୍ ଟିକା ନେବାକୁ ଅପିଲ କରିଛନ୍ତି । ଯେତେ ଶୀଘ୍ର ସମ୍ଭବ ଟିକା ନିଅନ୍ତୁ ଓ ସୁରକ୍ଷିତ ରୁହନ୍ତୁ ବୋଲି କୋହଲି ଟ୍ୱିଟ୍ କରିଛନ୍ତି ।

କୋହଲିଙ୍କ ବ୍ୟତୀତ ଦ୍ରୁତ ବୋଲର ଈଶାନ୍ତ ଶର୍ମା ମଧ୍ୟ କୋଭିଡ୍‌-୧୯ ଟିକା ଲଗାଇଛନ୍ତି । ଟିକାକରଣ କେନ୍ଦ୍ରରେ ପତ୍ନୀ ପ୍ରତିମାଙ୍କ ସହ ଈଶାନ୍ତ ନିଜ ଫଟୋ ଟ୍ୱିଟରରେ ସେୟାର କରି ଲେଖିଛନ୍ତି – ଏଥିପାଇଁ କୃତଜ୍ଞ । ଏହି କାର୍ଯ୍ୟରେ ନିୟୋଜିତ ସମସ୍ତ ବ୍ୟକ୍ତିଙ୍କ ପ୍ରତି ମୋର କୃତଜ୍ଞତା । ବ୍ୟବସ୍ଥାର ସୁଗମ ପରିଚାଳନା ଦେଖି ଖୁସି । ସମସ୍ତେ ଶୀଘ୍ର ଟିକା ନିଅନ୍ତୁ ।

ପୂର୍ବରୁ ଟେଷ୍ଟ ଦଳର ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ଓ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ୍ ମଧ୍ୟ କୋଭିଡ୍ ଟିକାର ପ୍ରଥମ ଡୋଜ୍ ନେଇସାରିଛନ୍ତି ।

ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଓ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଜୁନ୍ ୨ରୁ ବ୍ରିଟେନ ଯାତ୍ରା କରିବ । ଏହି ଗସ୍ତ ପୂର୍ବରୁ ଭାରତୀୟ ଦଳକୁ ନିଜ ଦେଶରେ ମେ ୨୫ରୁ କ୍ୱାରେଣ୍ଟାଇନରେ ରହିବାକୁ ପଡିବ । ପୁଣି ବ୍ରିଟେନ ପହଞ୍ଚିବା ପରେ ସେଠାରେ ୧୦ ଦିନ କ୍ୱାରଣ୍ଟୋଇନ କାଟିବାକୁ ହେବ । ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଜୁନ ୧୮ରୁ ସାଉଥମ୍ପଟନରେ ଖେଳାଯିବ । ଏହାପରେ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଅଗଷ୍ଟ ୪ରୁ ଆରମ୍ଭ ହେବ ।

Comments are closed.