ଟୁଲ୍‌କିଟ୍ ମାମଲା: ଦିଶାଙ୍କୁ ଦିନକ ପାଇଁ ପୋଲିସ ହାଜତକୁ ପଠାଗଲା

ନୂଆଦିଲ୍ଲୀ – ଟୁଲ୍‌କିଟ୍ ମାମଲାରେ ଦିଲ୍ଲୀର ଏକ କୋର୍ଟ ପରିବେଶ କର୍ମୀ ଦିଶା ରବିଙ୍କୁ ଦିନକ ପାଇଁ ପୋଲିସ ହାଜତକୁ ପଠାଇ ଦେଇଛନ୍ତି । ଦିଶାଙ୍କ ଆଉ ପାଞ୍ଚ ଦିନ ରିମାଣ୍ଡ ପାଇଁ ଦିଲ୍ଲୀ ପୋଲିସ୍ ଆବେଦନ କରିଥିଲା ।

ଟୁଲ୍‌କିଟ୍ ମାମଲାର ଅନ୍ୟ ଅଭିଯୁକ୍ତଙ୍କ ସହ ଦିଶାଙ୍କୁ ମୁହାଁମୁହିଁ ବସାଇ ଜେରା କରିବାକୁ ଚାହୁଁଛି ପୋଲିସ । ଏହି ମାମଲାର ଅନ୍ୟ ଦୁଇ ଅଭିଯୁକ୍ତ ଆଇନଜୀବୀ ନିକିତା ଜାକୋବ ଓ ଇଞ୍ଜିନିୟର ଶାନ୍ତନୁ ମୁଲୁକଙ୍କୁ ଆଜି ପୋଲିସ୍ ପଚରା ଉଚରା କରିଛି । ତଦନ୍ତରେ ସହଯୋଗ କରିବାକୁ ଉଭୟ ନିକିତା ଓ ଶାନ୍ତନୁଙ୍କୁ ଦିଲ୍ଲୀ ପୋଲିସ୍ ତରଫରୁ ନୋଟିସ୍ ଜାରି କରାଯାଇଥିଲା ।

କୃଷକ ଆନ୍ଦୋଳନ ସମର୍ଥନରେ ସ୍ୱିଡେନର ପରିବେଶ କର୍ମୀ ଗ୍ରେଟା ଥନବର୍ଗ ସୋସିଆଲ ମିଡିଆରେ ଯେଉଁ ‘ଟୁଲ୍‌କିଟ୍ ଗୁଗଲ ଡକ୍ୟୁମେଣ୍ଟ୍‌’ ସେୟାର କରିଥିଲେ, ସେନେଇ ପୋଲିସ୍ ତଦନ୍ତ କରୁଛି ।

ସୂଚନାଯୋଗ୍ୟ, ଦିଶା ରବିିଙ୍କୁ ଶୁକ୍ରବାର ତିନି ଦିନ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ଆଜି ଦିଶାଙ୍କ ବିଚାର ବିଭାଗୀୟ ହାଜତ ମିଆଦ ଶେଷ ହେବା ପରେ ତାଙ୍କୁ ପୁଣିଥରେ କୋର୍ଟରେ ହାଜର କରାଯାଇଥିଲା । ଦିଶାଙ୍କୁ ପାଞ୍ଚ ଦିନ ରିମାଣ୍ଡରେ ନେବାକୁ ପୋଲିସ ତରଫରୁ ଆବେଦନ କରାଯାଇଥିଲା । ତେବେ କୋର୍ଟ ଦିନକ ପାଇଁ ଏହି ୨୨ ବର୍ଷୀୟ ପରିବେଶ କର୍ମୀଙ୍କୁ ପୋଲିସ ହାଜତକୁ ପଠାଇଛନ୍ତି ।

ଅନ୍ୟପକ୍ଷେ ଜାମିନ ପାଇଁ ଦିଶାଙ୍କ ଆବେଦନ ଉପରେ ଦିଲ୍ଲୀର ଏକ କୋର୍ଟ ମଙ୍ଗଳବାର ନିଜ ନିଷ୍ପତ୍ତି ଶୁଣାଇବେ । ଦିଶାଙ୍କ ଜାମିନ ଆବେଦନ ଉପରେ କୋର୍ଟ ଶନିବାର ରାୟ ସଂରକ୍ଷିତ ରଖିଥିଲେ ।

Comments are closed.