ଟ୍ରାକ୍ଟର ରାଲି ହିଂସା: ୨୨ ଏଫ୍‌ଆଇଆର ରୁଜୁ, ଦିଲ୍ଲୀରେ ସିଆରପିଏଫ୍‌ର ୧୫ କମ୍ପାନୀ ମୁତୟନ

ନୂଆଦିଲ୍ଳୀ – ଗଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲି ବେଳେ ଦିଲ୍ଲୀରେ ଘଟିଥିବା ହିଂସା ମାମଲାରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ହିଂସା ଓ ସରକାରୀ ସମ୍ପତ୍ତି ଭଙ୍ଗାରୁଜା ମାମଲାରେ ଏ ପର୍ଯ୍ୟନ୍ତ ୨୨ଟି ଏଫ୍‌ଆଇଆର୍ ରୁଜୁ କରାଯାଇଛି । ଦଙ୍ଗାକାରୀଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ୍ ସିସିଟିଭି ଫୁଟେଜ୍ ଯାଞ୍ଚ୍ କରୁଛି । ଲାଲ୍‌କିଲ୍ଲା ଓ ସୀଂଘୁ ସୀମାରେ ସୁରକ୍ଷା ବଢ଼ାଇ ଦିଆଯାଇଛି । ସେପଟେ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଦିଲ୍ଲୀ ମେଟ୍ରୋ କର୍ତ୍ତୃପକ୍ଷ ଲାଲ୍‌କିଲ୍ଲା ମେଟ୍ରୋ ଷ୍ଟେସନକୁ ଆଜି ବନ୍ଦ କରିଛନ୍ତି । ଜାମା ମସ୍‌ଜିଦ ମେଟ୍ରୋ ଷ୍ଟେସନର ଏଣ୍ଟ୍ରି ଗେଟ୍ ମଧ୍ୟ ବନ୍ଦ ରଖାଯାଇଛି ।

ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସିଆରପିଏଫ୍‌ର ୧୫ କମ୍ପାନୀ ମୁତୟନ କରାଯାଇଛି । ଗତକାଲି ଘଟିଥିବା ହିଂସାରେ ୮୬ ପୋଲିସକର୍ମୀ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନେକଙ୍କ ଅବସ୍ଥା ଗୁରୁତର ରହିଛି ।

ଗତକାଲି କୃଷକଙ୍କ ଟ୍ରାକ୍ଟର ରାଲି ବେଳେ ପୋଲିସ ଓ ଚାଷୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଧାର୍ଯ୍ୟ ସମୟରୁ ବହୁ ଆଗରୁ ଚାଷୀମାନେ ଦିଲ୍ଲୀର ବିଭିନ୍ନ ସୀମାରୁ ନିଜ ଟ୍ରାକ୍ଟର ଟ୍ରଲି ଧରି ଦିଲ୍ଲୀ ମୁହାଁ ହୋଇଥିଲେ । ସେମାନେ ବିଭିନ୍ନ ସ୍ଥାନରେ ପୋଲିସ ବ୍ୟାରିକେଡ୍ ଭାଙ୍ଗି ରାଜଧାନୀ ନଗରୀରେ ପ୍ରବେଶ କରିଥିଲେ । ପୋଲିସ ସେମାନଙ୍କୁ ଅଟକାଇବାକୁ ଯାଇ ଲାଠିଚାର୍ଜ କରିବା ସହ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା । କିଛି ବିକ୍ଷୋଭକାରୀ ପୋଲିସ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ବିକ୍ଷୋଭକାରୀଙ୍କ ଅନ୍ୟ ଏକ ଗୋଷ୍ଠୀ ଲାଲ୍‌କିଲ୍ଲା ପ୍ରାଚୀର ଉପରେ ଚଢ଼ି ପତାକା ଖୁଣ୍ଟରେ ଶିଖ୍‌ମାନଙ୍କ ଧର୍ମ ଝଣ୍ଡା ‘ନିଶାନ ସାହିବ’ ଉଡ଼ାଇଥିଲେ । ଆଇଟିଓ ଛକରେ ଟ୍ରାକ୍ଟର ଓଲଟିବାରୁ ଜଣେ କୃଷକଙ୍କ ମୃତ୍ୟୁ ହୋଇଥିଲା । ହିଂସାକୁ ଦୃଷ୍ଟିରେ ରଖି ଓ ଗୁଜବ ପ୍ରଚାର ରୋକିବା ପାଇଁ ଦିଲ୍ଲୀ-ଏନ୍‌ସିଆରର ଅନେକ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା ।

Comments are closed.