ତିନି କୋଟି ରାସନ୍ କାର୍ଡ ରଦ୍ଦ ନିଷ୍ପତ୍ତିକୁ ଗମ୍ଭୀର ବୋଲି କହିଲେ ସୁପ୍ରିମକୋର୍ଟ, କେନ୍ଦ୍ର ଓ ରାଜ୍ୟଙ୍କୁ ଜବାବ ତଲବ

ନୂଆଦିଲ୍ଲୀ – ଆଧାର ସଂଯୋଗ ହୋଇନଥିବାରୁ ପ୍ରାୟ ତିନି କୋଟି ରାସନ୍ କାର୍ଡ ରଦ୍ଦ କରିବା ନେଇ କେନ୍ଦ୍ରର ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଅତ୍ୟନ୍ତ ଗମ୍ଭୀର ବିଷୟ ବୋଲି କହିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍‌ଏ ବୋବଡେ, ଏଏସ୍ ବୋପାନ୍ନା ଏବଂ ଜଷ୍ଟିସ୍ ଭି.ରାମସୁବ୍ରମନିଆନଙ୍କ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଦାୟର ହୋଇଥିବା ମାମଲାକୁ ଶୁଣାଣି ପାଇଁ ଗ୍ରହଣ କରି କେନ୍ଦ୍ର ଓ ରାଜ୍ୟ ମାନଙ୍କ ଠାରୁ ଜବାବ ତଲବ କରିଛନ୍ତି ।
ଝାଡ଼ଖଣ୍ଡ ସିମଦେଗା ଜିଲ୍ଲାର କୋଇଲି ଦେବୀ ନାମ୍ନୀ ଜଣେ ମହିଳା ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି । କୋଇଲି ଦେବୀଙ୍କ ୧୧ ବର୍ଷର ଝିଅ ସନ୍ତୋଷୀର ୨୦୧୮ରେ ଅନାହାରରେ ମୃତ୍ୟୁ ହୋଇଥିଲା । ସନ୍ତୋଷୀର ମାଆ କୋଇଲି ସହ ତା’ ଭଉଣୀ ଗୁଡିଆ ଦେବୀ ମଧ୍ୟ ଏହି ପିଟିସନର ଯୁଗ୍ମ ଆବେଦକ ।

କୋଇଲି ଓ ଗୁଡିଆ ଦେବୀଙ୍କ ଦ୍ୱାରା ଦାୟର ପିଟିସନରେ କୁହାଯାଇଛି ଯେ, ଆଧାର ସଂଯୋଗ କରିବାରେ ବିଫଳ ହେବାରୁ ତାଙ୍କ ରାସନ କାର୍ଡକୁ ସ୍ଥାନୀୟ କର୍ତ୍ତୃପକ୍ଷ ରଦ୍ଦ କରିଥିଳେ । ଅତ୍ୟନ୍ତ ଗରିବ ହୋଇଥିବାରୁ ରାସନ କାର୍ଡ ରଦ୍ଦ ହେବା ଦ୍ୱାରା ତାଙ୍କ ଝିଅ/ଭଉଣୀ ସନ୍ତୋଷୀର ଅନାହାରରେ ମୃତ୍ୟୁ ହୋଇଥିଲା । ସେହି ଦିନଠାରୁ ପରିବାର ଅନ୍ୟ ସଦସ୍ୟ ମଧ୍ୟ ଦୁଇ ଓଳି ଦୁଇ ମୁଠା ଆହାର ପାଇବାକୁ ସଂଘର୍ଷ କରୁଛନ୍ତି ।

ଡିସେମ୍ବର ୯, ୨୦୧୯ରେ ଆଧାର କାର୍ଡ ନଥିବାରୁ କିଛି ଲୋକ ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇ ଅନାହାରରେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ସୁପ୍ରିମକୋର୍ଟ ସେତେବେଳେ ସବୁ ରାଜ୍ୟଙ୍କ ଠାରୁ ଜବାବ ଲୋଡିଥିଲେ ।

Comments are closed.