ତୃତୀୟ ଟି୨୦ରେ ଭାରତକୁ ୧୨ ରନରେ ହରାଇଲା ଅଷ୍ଟ୍ରେଲିଆ

ସିଡନୀ – ଅଧିନାୟକ ବିରାଟ କୋହଲିଙ୍କ ଲଢୁଆ ଅର୍ଦ୍ଧଶତକ ସତ୍ତ୍ୱେ ମଙ୍ଗଳବାର ଏଠାରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି୨୦ରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଛି । ଭାରତକୁ ୧୨ ରନରେ ହରାଇ ଅଷ୍ଟ୍ରେଲିଆ ସାନ୍ତ୍ୱନାମୂଳକ ବିଜୟ ସହ ସିରିଜ୍ ମୂଳପୋଛ ଲଜ୍ଜାରୁ ବର୍ତ୍ତିଛି । ଶେଷ ମ୍ୟାଚରେ ପରାଜୟ ପରେ ଭାରତର ସିରିଜ୍ ବିଜୟ ବ୍ୟବଧାନ ୨-୧ ହୋଇଛି । ବିଦେଶରେ ଭାରତର କ୍ରମାଗତ ୧୦ ମ୍ୟାଚ୍ ବିଜୟ ଧାରା ବି ଭାଙ୍ଗିଛି । ଭାରତ ଟସ୍ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୬ ରନ୍ କରିଥିଲା । ଦଳ ତରଫରୁ ମାଥ୍ୟୁ ୱେଡ୍ ୮୦, ଗ୍ଲେନ ମ୍ୟାକ୍ସୱେଲ ୫୪ ଓ ଷ୍ଟିଭ୍ ସ୍ମିଥ୍ ୨୪ ରନ୍ କରିଥିଲେ । ଏହାର ଜବାବରେ ଭାରତ ୭ ୱିକେଟ୍ ହରଶଇ ୧୭୪ ରନ୍ କରିବାକୁ ସମର୍ଥ ହୋଇଥିଲା । ଦଳ ତରଫରୁ ଅଧିନାୟକ କୋହଲି ସର୍ବାଧିକ ୮୫ ରନ୍ କରିଥିଲେ । ସେ ଏହି ଇନିଂସ୍ ଅବସରରେ ୬୧ ବଲର ସମ୍ମୁଖୀନ ହୋଇଥିବା ବେଳେ ୪ଟି ଚୌକା ଓ ୩ଟି ଛକା ମାରିଥିଲେ । ଗତ ମ୍ୟାଚର ହିରୋ ହାର୍ଦ୍ଦିକ ପାଣ୍ଡ୍ୟା ୨୦ ରନ୍ କରି ଆଉଟ୍ ହୋଇଥିଲେ । ଶେଷ ଦୁଇ ଓଭରରେ ଭାରତକୁ ବିଜୟ ପାଇଁ ୩୯ ରନ୍ ଆବଶ୍ୟକ ହେଉଥିଲା ।

ତେବେ ୧୮ତମ ଓଭରରେ କୋହଲିଙ୍କ ୱିକେଟ୍ ହରାଇବା ପରେ ଭାରତର ବିଜୟ ଆଶା ମଉଳି ଯାଇଥିଲା । ୧୮୭ ରନର ବିଜୟଲକ୍ଷ୍ୟ ଜବାବରେ କେଏଲ ରାହୁଲ ପ୍ରଥମ ଓଭରରେ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଯାଇଥିଲେ । ଏହାପରେ ଧାୱନ୍ (୨୮) ଓ କୋହଲି ପାଳି ସମ୍ଭାଳି ଦ୍ୱିିତୀୟ ୱିକେଟରେ ୭୪ ରନ୍ ଯୋଗ କରିଥିଲେ । ଧାୱନ ନବମ ଓଭରରେ ଆଉଟ୍ ହୋଇଥିଲେ । ଏହାପରେ ସଞ୍ଜୁ ସାମସନ (୧୦) ଓ ଶ୍ରେସୟ ଆୟର (୦) ଶୀଘ୍ର ପ୍ୟାଭିଲିୟନ୍ ଫେରିବା ପରେ ବଲ୍ ଓ ରନ୍ ମଧ୍ୟରେ ବ୍ୟବଧାନ ବଢିଯାଇଥିଲା । ଶେଷ ୫ ଓଭରରେ ଭାରତକୁୁ ୭୬ ରନ୍ ଦରକାର ହୋଇଥିଲା । ଯାହା ଶେଷରେ ବିରାଟ ବାହିନୀ ପାଇଁ କଷ୍ଟକର ସାବ୍ୟସ୍ତ ହୋଇଥିଲା ।

Comments are closed.