ତୃତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷିତ: ରୋହିତ ଫେରିଲେ, ସାଇନି ଡେବ୍ୟୁ କରିବେ

ସିଡନୀ – ଗୁରୁବାର ଠାରୁ ଆରମ୍ଭ ହେଉଥିବା ତୃତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ ଏହାର ଚୂଡାନ୍ତ ଏକାଦଶ ଘୋଷଣା କରିଛି । ଫର୍ମ ପାଇଁ ସଂଘର୍ଷ କରୁଥିବା ଓପନର ମୟଙ୍କ ଅଗ୍ରୱାଲ ବାଦ୍ ପଡିଛନ୍ତି । ତାଙ୍କ ସ୍ଥାନରେ ରୋହିତ ଶର୍ମା ଫେରିଛନ୍ତି । ଶୁବମନ ଗିଲଙ୍କ ସହ ରୋହିତ ଇନିଂସ୍ ଓପନ୍ କରିବେ । ସେହିପରି ଆହତ ଉମେଶ ଯାଦବଙ୍କ ସ୍ଥାନରେ ଯୁବ ପେସର ନବଦୀପ ସାଇନି ସିଡନୀରେ ନିଜ ଟେଷ୍ଟ ଡେବ୍ୟୁ କରିବେ । ଭାରତୀୟ ଦଳରେ କେବଳ ଏହି ଦୁଇଟି ପରିବର୍ତ୍ତନ କରାଯାଇଛି ।

ଆଘାତ ସମସ୍ୟା ଯୋଗୁଁ ରୋହିତ ଦିନିକିଆ ଓ ଟି୨୦ ସିରିଜ୍ ସହ ପ୍ରଥମ ଦୁଇଟି ଟେଷ୍ଟରୁ ବଞ୍ଚିତ ହୋଇଥିଲେ । ସେ ନିକଟରେ କ୍ୱାରେଣ୍ଟାଇନ୍ ଶେଷ କରି ଅବଶିଷ୍ଟ ଦୁଇଟି ଟେଷ୍ଟ ପାଇଁ ଭାରତୀୟ ଦଳ ସହ ଯୋଗ ଦେଇଥିଲେ । ଶେଷ ଦୁଇଟି ଟେଷ୍ଟ ପାଇଁ ରୋହିତଙ୍କୁ ଉପଅଧିନାୟକ ଭାବେ ନିଯୁକ୍ତ କରାଯାଇଛି ।

ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ସମ୍ପ୍ରତି ୧-୧ ସ୍ଥିତିରେ ରହିଛି । ଆଡିଲେଡରେ ଲଜ୍ଜାଜନକ ପରାଜୟ ପରେ ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ଭାରତୀୟ ଦଳ ମେଲବୋର୍ଣ୍ଣରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ଟେଷ୍ଟକୁ ୮ ୱିକେଟରେ ଜିତି ସିରିଜକୁ ବରାବର ସ୍ଥିତିକୁ ଆଣିଥିଲା ।

ତୃତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା, ଶୁବମନ ଗିଲ୍‌, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ (ଅଧିନାୟକ), ହନୁମା ବିହାରୀ, ରିଷଭ ପନ୍ତ (ୱିକେଟକିପର), ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ସିରାଜ, ଯଶପ୍ରୀତ ବୁମରା, ନବଦୀପ ସାଇନି ।

Comments are closed.