ତୃତୀୟ ଟେଷ୍ଟ: ପ୍ରଥମ ଦିନରେ ଅଷ୍ଟ୍ରେଲିଆ ୧୬୬/୨

ସିଡନୀ – ଡେବୁଟାଣ୍ଟ୍ ୱିଲ ପକୋଭସ୍କି ଓ ମାର୍ନସ ଲାବୁସେନଙ୍କ ଅର୍ଦ୍ଧଶତକ ସହାୟତାରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ଦୃଢ଼ ସ୍ଥିତିରେ ରହିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ବର୍ଷା ପ୍ରଭାବିତ ପ୍ରଥମ ଦିବସର ଖେଳ ଶେଷ ବେଳକୁ ୨ ୱିକେଟ୍ ହରାଇ ୧୬୬ ରନ୍ କରିଛି । ଲାବୁସେନ୍ ୬୭ ରନ୍ କରି ଅପରାଜିତ ରହିଥିବା ବେଳେ ପ୍ରଥମ ଦୁଇଟି ଟେଷ୍ଟରେ ଫେଲ୍ ମାରିଥିବା ଷ୍ଟିଭ୍ ସ୍ମିଥ୍ ୩୧ ରନରେ ବ୍ୟାଟିଂ କରୁଛନ୍ତି ।

ପୂର୍ବରୁ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆଘାତ କାରଣରୁ ପ୍ରଥମ ଦୁଇଟି ଟେଷ୍ଟରୁ ବଞ୍ଚିତ ହେବା ପରେ ଫେରିଥିବା ଡେଭିଡ୍ ୱାର୍ଣ୍ଣର (୫)ଙ୍କୁ ସଅଳ ଆଉଟ୍ କରି ମହମ୍ମଦ ସିରାଜ ଭାରତକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ । ଅଷ୍ଟ୍ରେଲିଆ ୭.୧ ଓଭରରେ ଗୋଟିଏ ୱିକେଟ୍ ହରାଇ ୨୧ ରନ୍ କରିଥିବା ବେଳେ ବର୍ଷା ଯୋଗୁଁ ମ୍ୟାଚ୍ ପ୍ରାୟ ଚାରିଘଣ୍ଟା ବାଧାପ୍ରାପ୍ତ ହୋଇଥିଲା । ବର୍ଷା ଯୋଗୁଁ ୩୫ ଓଭର ଖେଳ ନଷ୍ଟ ହୋଇଥିଲା ।

ଚାରି ଘଣ୍ଟାର ବର୍ଷା ବିରତି ପରେ ଖେଳ ଶେଷରେ ଆରମ୍ଭ ହୋଇଥିଲା । ଟେଷ୍ଟ ଡେବ୍ୟୁ କରିଥିବା ପକୋଭସ୍କି ଓ ଲାବୁସେନ ଲଢ଼ୁଆ ଅର୍ଦ୍ଧଶତକ ସହ ଅଷ୍ଟ୍ରେଲିଆ ସ୍କୋରକୁ ଆଗେଇ ନେଇଥିଲେ । ଏ ଦୁହେଁ ଦ୍ୱିତୀୟ ୱିକେଟରେ ୧୦୦ ରନ୍ ଭାଗିଦାରୀ କରିଥିଲେ । ପକୋଭସ୍କିଙ୍କୁ ଦୁଇ ଦୁଇଟି ଜୀବନଦାନ ମିଳିଥିଲା । ତାଙ୍କର ଦୁଇଟି କ୍ୟାଚ୍ ଛାଡ଼ିଥିଲେ ୱିକେଟକିପର ରିଷଭ ପନ୍ତ । ଶେଷରେ ପକୋଭସ୍କିଙ୍କୁ ଭାରତ ତରଫରୁ ଡେବ୍ୟୁ କରୁଥିବା ନବଦୀପ ସାଇନି ଲେଗ୍ ବିଫୋର କରାଇ ଦଳକୁ ପ୍ରତୀକ୍ଷିତ ସଫଳତା ଦେଇଥିଲେ । ଏହାପରେ କ୍ରିଜକୁ ଓହ୍ଲାଇଥିଲେ ସ୍ମିଥ୍ । ପ୍ରଥମ ଦୁଇଟି ଟେଷ୍ଟରେ ବିଫଳ ହୋଇଥିବା ସ୍ମିଥ୍ ଆରମ୍ଭରୁ ସକାରାତ୍ମକ ଆଭିମୁଖ୍ୟ ଆପଣାଇ କିଛି ଚିତ୍ତାକର୍ଷକ ସଟ୍ ଖେଳିଥିଲେ । ସେପଟେ ଲାବୁସେନ୍ ଅର୍ଦ୍ଧଶତକ ପୂରଣ କରିଥିଲେ । ଏ ଦୁହେଁ ଏଯାବତ୍ ତୃତୀୟ ୱିକେଟରେ ୬୦ ରନ୍ ଯୋଗ କରିସାରିଛନ୍ତି । ଚାରି ମ୍ୟାଚ୍ ବିଶିଷ୍ଟ ସିରିଜ୍ ସମ୍ପ୍ରତି ୧-୧ ସ୍ଥିତିରେ ରହିଛି ।

Comments are closed.