ତୃତୀୟ ଦିନିକିଆ: ଇଂଲଣ୍ଡକୁ ୩୩୦ ରନର ଟାର୍ଗେଟ୍ ଦେଲା ଭାରତ

ପୁଣେ – ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆରେ ଭାରତ ପୂରା ୫୦ ଓଭର ବ୍ୟାଟିଂ କରିପାରି ନାହିଁ । ଭାରତ ପ୍ରଥମେ ବ୍ୟାଟିଂ କରି ୪୮.୨ ଓଭରରେ ୩୨୯ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଛି । ଫଳରେ ଏହି ସିରିଜ ନିର୍ଣ୍ଣାୟକ ମ୍ୟାଚ୍ ଜିତିବା ପାଇଁ ଇଂଲଣ୍ଡ ଆଗରେ ୩୩୦ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ତିନି ମ୍ୟାଚ୍ ବିଶିଷ୍ଟ ସିରିଜ ୧-୧ ସ୍ଥିତିରେ ରହିଥିବା ବେଳେ ଉଭୟ ଦଳ ଏହି ମ୍ୟାଚ୍ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିଛନ୍ତି ।

ଭାରତ ପୁଣି ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିଲା । ରୋହିତ ଶର୍ମା ଓ ଶିଖର ଧାୱନ ଭାରତକୁ ପୁଣିଥରେ ଏକ ଭଲ ଷ୍ଟାର୍ଟ ଦେଇ ପ୍ରଥମ ୱିକେଟରେ ୮୮ ବଲରେ ୧୦୩ ରନ୍ ଯୋଗ କରିଥିଲେ । ଦୃଢ଼ ଷ୍ଟାର୍ଟ ସତ୍ତ୍ୱେ ଭାରତ ଚାରି ଓଭର ମଧ୍ୟରେ ତିନି ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ – ରୋହିତ, ଧାୱନ ଓ କୋହଲିଙ୍କ ୱିକେଟ୍ ହରାଇଥିଲା । ରୋହିତଙ୍କୁ ଆଉଟ୍ କରି ଆଦିଲ ରସିଦ ଇଂଲଣ୍ଡକୁ ପ୍ରଥମ ସଫଳତା ଦେଇଥିଲେ । ରୋହିତ ୩୭ ବଲରେ ୬ଟି ଚୌକା ସହ ୩୭ରନ୍ କରି ଆଉଟ୍ ହୋଇଥିଲେ । ଏହା ପରେ ଧାୱନ ମଧ୍ୟ ରସିଦଙ୍କ ଶିକାର ବନିଥିଲେ । ଧାୱନ୍ ସିରିଜରେ କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ପୂର୍ବକ ୫୬ ବଲ୍‌ରେ ୧୦ଟି ଚୌକା ସହ ୬୭ ରନ୍ କରିଥିଲେ । କୋହଲି ମାତ୍ର ୭ ରନ୍ କରି ମୋଇନ ଅଲ୍ଲୀଙ୍କ ବଲ୍‌ରେ କ୍ଲିନ୍ ବୋଲ୍ଡ ହୋଇଯାଇଥିଲେ । ଗତ ମ୍ୟାଚ୍‌ର ଶତକ ହାସଲକାରୀ କେଏଲ ରାହୁଲ ମଧ୍ୟ ଫେଲ୍ ମାରିଥିଲେ । ସେ ମାତ୍ର ୭ ରନ୍ କରି ଲିଭିଙ୍ଗଷ୍ଟୋନଙ୍କ ଶିକାର ହୋଇଥିଲେ ।
ଭାରତ ୧୫୭ ରନରେ ୪ଟି ୱିକେଟ୍ ହରାଇ ହଠାତ୍ ବ୍ୟାକଫୁଟ୍‌କୁ ଠେଲି ହୋଇଯାଇଥିଲା । ହେଲେ ରିଷଭ ପନ୍ତ୍ ଓ ହାର୍ଦ୍ଦିକ ପାଣ୍ଡ୍ୟା ଆକ୍ରମଣାତ୍ମକ ଅର୍ଦ୍ଧଶତକ ସହ ଦଳୀୟ ସ୍ଥିତି ସୁଧାରିଥିଲେ । ଦୁହେଁ ପଞ୍ଚମ ୱିକେଟରେ ଦ୍ରୁତ ୯୯ ରନ୍ ଯୋଗ କରିଥିଲେ । ପନ୍ତ୍ ୬୨ ବଲ୍‌ରେ ୫ଟି ଚୌକା ଓ ୪ଟି ଛକା ସହ ବିସ୍ଫୋରକ ୭୮ ରନ୍ କରିଥିଲେ । ସିରିଜରେ ଏହା ତାଙ୍କ ଲଗାତର ଦ୍ୱିତୀୟ ଅର୍ଦ୍ଧଶତକ ଥିଲା । ତାଙ୍କୁ ଆଉଟ୍ କରି ସାମ୍ କରନ୍ ଇଂଲଣ୍ଡ ଦଳକୁ ବହୁ ପ୍ରତୀକ୍ଷିତ ସଫଳତା ଦେଇଥିଲେ । ପାଣ୍ଡ୍ୟାଙ୍କୁ ଷ୍ଟୋକ୍ସ ବୋଲ୍ଡ କରିବା ପରେ ଭାରତକୁ ଆଉ ଏକ ଝଟକା ଲାଗିଥିଲା । ପାଣ୍ଡ୍ୟା ୪୪ ବଲ୍‌ରେ ୫ଟି ଚୌକା ଓ ୪ଟି ଛକା ସହ ୬୪ ରନ୍ କରିଥିଲେ ।

କୃନାଳ ପାଣ୍ଡ୍ୟା ୨୫ ଓ ଶାର୍ଦ୍ଦୁଲ ଠାକୁର ୩୦ ରନ୍ କରି ଆଉଟ୍ ହୋଇଥିଲେ । ଭାରତ ୪୮.୨ ଓଭରରେ ୩୨୯ ରନରେ ଅଲ୍‌ଆଉଟ୍ ହୋଇଥିଲା । ଇଂଲଣ୍ଡ ତରଫରୁ ମାର୍କ ଉଡ୍ ୩ଟି ୱିକେଟ୍ ନେଇଥିବା ବେଳେ ଆଦି ରସିଦ୍ ୨ଟି ୱିକେଟ୍ ହାସଲ କରିଥିଲେ ।

ଦ୍ୱିତୀୟ ମ୍ୟାଚରେ ଜନି ବେୟାରଷ୍ଟୋ ଓ ବେନ୍ ଷ୍ଟୋକ୍ସଙ୍କ ଧୂଆଁଧାର ପାଳି ବଳରେ ଇଂଲଣ୍ଡ ୩୩୭ ରନର ବିଜୟଲକ୍ଷ୍ୟକୁ ସହଜରେ ଚେଜ୍ କରି ସିରିଜକୁ ୧-୧ରେ ବରାବର କରିଥିଲା ।

Comments are closed.