ଦିଲ୍ଲୀ ବିଶ୍ୱର ସବୁଠୁ ପ୍ରଦୂଷିତ ରାଜଧାନୀ, ୫୦ ପ୍ରଦୂଷିତ ସହର ମଧ୍ୟରେ ୩୫ ଭାରତରେ

ନୂଆଦିଲ୍ଲୀ – ଦୂଷିତ ବାୟୁମଣ୍ଡଳ ପାଇଁ ଭାରତର ରାଜଧାନୀ ନଗରୀ ଦିଲ୍ଲୀ ପୁଣି ଥରେ ଲଜ୍ଜା ମୁଣ୍ଡାଇଛି । ଦିଲ୍ଲୀକୁ ଏବେ ବିଶ୍ୱର ସବୁଠୁ ପ୍ରଦୂଷିତ ରାଜଧାନୀ ଭାବେ ଆଖ୍ୟା ମିଳିଛି । ସ୍ୱିଜରଲାଣ୍ଡର ଏକ ସଂସ୍ଥା ‘ଆଇକ୍ୟୁ ଏୟାର’ର ରିପୋର୍ଟ ଅନୁସାରେ ବିଶ୍ୱର ୫୦ ସର୍ବାଧିକ ପ୍ରଦୂଷିତ ରାଜଧାନୀ ମଧ୍ୟରେ ଦିଲ୍ଲୀ ପ୍ରଥମ ସ୍ଥାନରେ ରହିଛି । ଦିଲ୍ଲୀ ବାୟୁମଣ୍ଡଳରେ ପ୍ରଦୂଷଣ କଣିକା ମାତ୍ରା ବେଶ୍ ଅଧିକ ରହିଛି, ଯାହା ଫୁସ୍‌ଫୁସ୍ ଓ ଶ୍ୱାସ ଜନିତ ରୋଗର କାରଣ ହୋଇଥାଏ ।

‘ଆଇକ୍ୟୁ ଏୟାର’ ଅନୁସାରେ କରୋନା ପାଇଁ ଲକ୍‌ଡାଉନ୍ ସତ୍ତ୍ୱେ ଦିଲ୍ଲୀ ବାୟୁମଣ୍ଡଳରେ ପ୍ରଦୂଷଣ ସ୍ତର କମି ନାହିଁ । ସ୍ୱିଜରଲାଣ୍ଡର ଏହି ସଂସ୍ଥା ତରଫରୁ ୧୦୬ ଦେଶର ପ୍ରଦୂଷଣ ସ୍ତର ନେଇ ତଥ୍ୟ ଯାଞ୍ଚ୍ କରାଯାଇଥିଲା । ଏଥିରେ ବିଶ୍ୱର ୫୦ ପ୍ରଦୂଷିତ ସହର ଭିତରେ ଭାରତର ୩୫ ସହର ରହିଛି । ଏହି ୫୦ ସହର ମଧ୍ୟରେ ଦିଲ୍ଲୀ ହେଉଛି ବିଶ୍ୱର ସବୁଠୁ ପ୍ରଦୂଷିତ ରାଜଧାନୀ ।

ଗ୍ରୀନପୀସ୍ ସାଉଥଇଷ୍ଟ ଏସିଆ ଏନାଲିସିସ୍ ଏବଂ ଆଇକ୍ୟୁ ଏୟାର ଦ୍ୱାରା ହୋଇଥିବା ଏକ ଅନୁଧ୍ୟାନରୁ ଜଣାପଡିଛି ଯେ, ବାୟୁ ପ୍ରଦୂଷଣ ଯୋଗୁଁ ୨୦୨୦ରେ ଦିଲ୍ଲୀରେ ୫୪ ହଜାର ଲୋକଙ୍କ ଅକାଳ ମୃତ୍ୟୁ ହୋଇଥିଲା ।

Comments are closed.