ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସ, ଆଉ ୯ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ବର୍ଷକରେ ବିଦା ହେଲେଣି ୧୧୩

ଭୁବନେଶ୍ୱର- ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଜାରି ରହିଛି । ଆଜି ଆଉ ୯ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଖଣି ବିଭାଗର ଜଣେ ଉପନିର୍ଦ୍ଦେଶକ ଓ ଶ୍ରମ ବିଭାଗର ଯୁଗ୍ମ କମିଶନରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ତାଲିକାରେ ଜଙ୍ଗଲ,ଜନସ୍ୱାସ୍ଥ୍ୟ, ଶ୍ରମ ବିଭାଗର ଅଧିକାରୀମାନଙ୍କର ନାମ ରହିଛି । ୭ ଜଣଙ୍କ ବିରୋଧରେ ଦୁର୍ନୀତି ମାମଲା ଥିଲା ବେଳେ ୨ ଜଣଙ୍କୁ ଅପାରଗତା ପାଇଁ ବିଦା କରାଯାଇ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଧିକାରୀମାନେ ହେଲେ ଖଣି ବିଭାଗର ଉପନିର୍ଦ୍ଦେଶକ ମଦନମୋହନ ବିଶ୍ୱାଳ । ତାଙ୍କ ବିରୋଧରେ ୯ଟି ଭିଜିଲାନ୍ସ ମାମଲା ରହିଛି । ଗ୍ରୁପ୍ ଏ ପାହ୍ୟର ଖଣି ଅଧିକାରୀ ରମେଶ ଚନ୍ଦ୍ର ମହାଳିକଙ୍କୁ ମଧ୍ୟ ବିଦା କରାଯାଇଛି । ତାଙ୍କ ବିରୋଧରେ ୪ଟି ଭିଜିଲାନଓ ମାମଲା ରହିଛି । ସୁନ୍ଦରଗଡ ଜିଲ୍ଲା ସାଧାରଣ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନ, ଜଙ୍ଗଲ ବିଭାଗର ସହକାରୀ ବନ ସଂରକ୍ଷକ ଲକ୍ଷମଣ କୁମାର ପ୍ରଧାନ, ଜଙ୍ଗଲ ବିଭାଗ ରେଂଜ ଅଫିସର କୁମାର ଘଡେଇ,ରାୟଗଡା ଜିଲ୍ଲା ଶ୍ରମ ଅଧିକାରୀ ପ୍ରଦୀପ କୁମାର ଭୋଇଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସମସ୍ତଙ୍କ ବିରୋଧରେ ଏକାଧିକ ଭିଜିଲାନ୍ସ ମାମଲା ରହିଛି ।
ଭୁବନେଶ୍ୱରର ଯୁଗ୍ମ ଶ୍ରମ କମିଶନର ଶରତ କୁମାର ଚୌଧୁରୀ ଓ ଗଜପତି ଜିଲ୍ଲାର ଡିଭିଜନାଲ ଶ୍ରମ କମିଶନର ନମିତା ଦାସଙ୍କୁ ଅପାରଗତା ଯୋଗୁ ବିଦା କରାଯାଇଛି । ଦୁର୍ନୀତି ଓ ଅପାରଗତା ଯୋଗୁଁ ବର୍ଷକ ମଧ୍ୟରେ ୧୧୩ ଅଧିକାରୀଙ୍କୁ ବିଦା କରାଯାଇଛି ।

Comments are closed.