ଦେବଦୂତ ସାଜିଲା “ଓଡ଼ିଶା – ମୋ ପରିବାର” : ନୂଆ ଜୀବନ ପାଇଲେ ପ୍ରଫୁଲ୍ଲ

ଭୁବନେଶ୍ବର: କଥାରେ ଅଛି “ରଖେ ହରି ମାରେ କିଏ ? ” । ୫୭ ବର୍ଷ ବୟସ୍କ ଗରିବ ଦିନ ମଜୁରିଆ ପ୍ରଫୁଲ୍ଲ ମଲ୍ଲିକଙ୍କ କ୍ଷେତ୍ରରେ ଏହି ଉକ୍ତିର ସତ୍ୟତା ପ୍ରମାଣିତ ହୋଇଛି । ଗୁରୁତର ଅସୁସ୍ଥ ପ୍ରଫୁଲ୍ଲଙ୍କ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲ୍ କଲେଜ ହାତ ଟେକି ଦେଇଥିଲେ । ଚିକିତ୍ସା ପାଇଁ ପରିବାର ଲୋକଙ୍କ ହାତରେ କଉଡିଏ ନଥିଲା । ମାତ୍ର ଓଡ଼ିଶା – ମୋ ପରିବାରର ସହଯୋଗରେ ଉନ୍ନତମାନର ଚିକିତ୍ସା ପାଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ପ୍ରଫୁଲ୍ଲ ।

ଖୋର୍ଦ୍ଧା ଜିଲ୍ଲା ବାଙ୍କୋଇ ଅଂଚଳର ପ୍ରଫୁଲ୍ଲ ମଲ୍ଲିକ ଅତ୍ୟନ୍ତ ଗରିବ ଶ୍ରେଣୀର । ମୂଲ ଲାଗିଲେ ପରିବାର ପେଟକୁ ଦାନା ଆସେ । ଉଚ୍ଚ ମଧୁମେହ ରୋଗରେ ପୀଡ଼ିତ ହୋଇଥିଲେ ମଧ୍ୟ ଚିକିତ୍ସା କରି ଔଷଧ ଖାଇବା ପାଇଁ ତାଙ୍କର ସାମର୍ଥ୍ୟ ନଥିଲା । ତେବେ ଗତ ନଭେମ୍ବର ୨୭ ତାରିଖରେ ହଠାତ୍‌ ତାଙ୍କର ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ପରିବାର ଲୋକେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ଆଣିଥିଲେ । ପରୀକ୍ଷାରୁ ତାଙ୍କର ହାର୍ଟ , କିଡନୀ ଏବଂ ଲଙ୍ଗସ୍ ଯଥେଷ୍ଟ ପ୍ରଭାବିତ ହୋଇଥିବା ଜଣାପଡ଼ିଥିଲା । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତରମାନେ ତାଙ୍କୁ କଟକ ବଡ଼ ମେଡ଼ିକାଲ୍ ପଠାଇ ଦେଇଥିଲେ । ମାତ୍ର ସେଠି ବି ସମାନ ଦଶା ଭୋଗିବାକୁ ପଡ଼ିଲା । ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏସସିବି ଡାକ୍ତରମାନେ ମଧ୍ୟ ତାଙ୍କୁ ଫେରାଇ ଦେଇଥିଲେ । ତେବେ ସଙ୍କଟାପନ୍ନ ପ୍ରଫୁଲ୍ଲଙ୍କୁ ବଂଚାଇବାର ଶେଷ ଆଶା ଛାଡ଼ି ନ ଥିଲେ ତାଙ୍କ ପରିବାର ଲୋକେ । ହାତ ଉଧାର କରି ଅର୍ଥ ଯୋଗାଡ଼ କରିବାକୁ ସାହାସ ବାନ୍ଧି ନଭେମ୍ବର ୨୮ ତାରିଖରେ ତାଙ୍କୁ କିମସ୍ ହସ୍ପିଟାଲ୍ ରେ ଭର୍ତ୍ତି କରିଥିଲେ । କିମସ୍ ଡାକ୍ତରମାନେ ତାଙ୍କୁ ତ୍ବରିତ ଉନ୍ନତମାନର ଚିକିତ୍ସା ସେବା ଦେବାରୁ ବଂଚିବାର ଆଶା ଉଜ୍ଜୀବିତ ହୋଇଥିଲା । ତେବେ ସେଥାଇଁ ଅପର୍ଯ୍ୟାପ୍ତ ପଇସାର ଆବଶ୍ୟକତା ଥିଲା ।

ହସ୍ପିଟାଲ୍ ବିଲ୍ ଦେଢ଼ଲକ୍ଷରୁ ଅଧୁକ ହେଲାପରେ ପ୍ରଫୁଲ୍ଲଙ୍କ ପରିବାର ମୁଣ୍ଡରେ ଚଡ଼କ ପଡ଼ିଥିଲା । ଅସହାୟ ଅବସ୍ଥାରେ ଓଡ଼ିଶା – ମୋ ପରିବାର ସହଯୋଗ କରିଥିଲେ । ଆଉ ଦୁସ୍ଥ ପ୍ରଫୁଲ୍ଲଙ୍କ ଅବସ୍ଥା ସମ୍ପର୍କରେ ଅବଗତ ହେଲା ପରେ କାଳବିଳମ୍ବ ନକରି ” ଓଡ଼ିଶା – ମୋ ପରିବାର ” ଟିମ୍ ତାଙ୍କ ଜୀବନ ରକ୍ଷା ପାଇଁ ଆଗକୁ ଆସିଥିଲେ । ପ୍ରଫୁଲ୍ଲଙ୍କୁ ତୁରନ୍ତ ସହାୟତା ଦେବାକୁ ” ଓଡ଼ିଶା- ମୋ ପରିବାର ” ପକ୍ଷରୁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଥିଲା । ରାଜ୍ୟ ସରକାରଙ୍କ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରୁ ଆର୍ଥିକ ସହାୟତା ଭାବେ ତାଙ୍କୁ ଅବିଳମ୍ବେ ୧ ଲକ୍ଷ ୩୦ ହଜାର ଟଙ୍କା ଯୋଗାଇ ଦେବାର ବ୍ୟବସ୍ଥା କରଯାଇଥିଲା । ଫଳରେ ତାଙ୍କ ଚିକିତ୍ସା ଭଲରେ ହୋଇଥିଲା । ଇତିମଧ୍ୟରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ପ୍ରଫୁଲ୍ଲ । ମରଣ ମୁହଁରୁ ଫେରିଥିବା ଗରିବ ପ୍ରଫୁଲ୍ଲଙ୍କ ପରିବାର ମୁହଁରେ ଏବେ ହସ ଫୁଟିଛି । ” ଓଡ଼ିଶା- ମୋ ପରିବାର ” ର ଏହି ଅମୂଲ୍ୟ ସହୋଗ ପାଇଁ ସ୍ଥାନୀୟ ଅଂଚଳବାସୀ କୃତଜ୍ଞତା ପ୍ରକାଶ କରି ଧନ୍ୟବାଦ ଜଣାଇଛନ୍ତି ।

 

Comments are closed.