ଦ୍ୱିତୀୟ ଟେଷ୍ଟ: ଅଶ୍ୱିନଙ୍କ ଆକର୍ଷଣୀୟ ଶତକ, ଇଂଲଣ୍ଡକୁ ୪୮୨ ରନର ଟାର୍ଗେଟ୍ ଦେଲା ଭାରତ

ଚେନ୍ନାଇ – ରବିଚନ୍ଦ୍ରନ ଅଶ୍ୱିନଙ୍କ ଶତକୀୟ ପାଳି ସହାୟତାରେ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ବିଜୟ ସମ୍ଭାବନା ସୃଷ୍ଟି କରିଛି । ଅଶ୍ୱିନଙ୍କ ଶତକ ବଳରେ ଭାରତ ଦ୍ୱିତୀୟ ଇନିଂସରେ ମଧ୍ୟକ୍ରମ ବିପର୍ଯ୍ୟୟରୁ ମୁକୁଳି ୨୮୬ ରନ୍ କରି ଅଲଆଉଟ୍ ହୋଇଛି । ଫଳରେ ଏହି ମ୍ୟାଚ୍ ଜିତିବା ପାଇଁ ଇଂଲଣ୍ଡ ଆଗରେ ୪୮୨ ରନ୍‌ର ଟାର୍ଗେଟ୍ ଧାର୍ଯ୍ୟ ହୋଇଛି । ଏହାର ଜବାବରେ ଇଂଲଣ୍ଡ ଶେଷ ଖବର ସୁଦ୍ଧା କୌଣସି ୱିକେଟ୍ ନ ହରାଇ ୯ ରନ୍ କରିଛି ।

ପ୍ରଥମ ଇନିଂସରେ ୫ ୱିକେଟ ସଫଳତା ପରେ ଅଶ୍ୱିନ ବ୍ୟାଟିଂରେ ବି କମାଲ କରିଥିଲେ । ଏକ ଚାଲେଞ୍ଜିଂ ପିଚ୍‌ରେ ଏବଂ ନିଜ ହୋମ ଗ୍ରାଉଣ୍ଡରେ ଅଶ୍ୱିନ ଆକର୍ଷଣୀୟ ୧୦୬ ରନ୍ କରିଥିଲେ । ଏହା ତାଙ୍କ କ୍ୟାରିୟରର ପଞ୍ଚମ ଶତକ ଥିଲା । ଏହାଛଡ଼ା ସେ ତୃତୀୟ ଥର ପାଇଁ ଏକ ଟେଷ୍ଟରେ ପାଞ୍ଚ ୱିକେଟ୍ ସଫଳତା ସହ ଶତକ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି । ତାଙ୍କର ଏହି ଶତକୀୟ ପାଳିରେ ୧୪ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା ।

ପୂର୍ବରୁ ଭାରତ ତାର ଅସମାପ୍ତ ଦ୍ୱିତୀୟ ଇନିଂସ୍ ସ୍କୋର ୫୪/୧ରୁ ଖେଳ ଆରମ୍ଭ କରିଥିଲା । ହେଲେ ପ୍ରଥମ ସେସନରେ ହିଁ ଶୀଘ୍ର ଆଉ ୫ଟି ୱିକେଟ୍ ହରାଇ ସଙ୍କଟରେ ପଡିଥିଲା । ଭାରତ ଏକଦା ୧୦୬ ରନରେ ୬ ୱିକେଟ୍ ହରାଇ ଦେଇଥିଲା । ତେବେ ଅଧିନାୟକ ବିରାଟ କୋହଲି ଓ ଅଶ୍ୱିନ ସପ୍ତମ ୱିକେଟରେ ଗୁରୁତ୍ୱପୂର୍ଣ୍ଣ ୯୬ ରନ୍ ଯୋଗକରି ଦଳୀୟ ସ୍ଥିତି ମଜବୁତ କରିଥିଲେ । କୋହଲି ୭ଟି ଚୌକା ସହାୟତାରେ ୬୨ ରନ୍ କରିଥିଲେ । ଅଶ୍ୱିନ ପୁଣି ଦଶମ ୱିକେଟରେ ମହମ୍ମଦ ସିରାଜ (୧୬ ନଟ୍ ଆଉଟ୍‌)ଙ୍କ ସହ ଆଉ ୪୯ ରନ୍ ଯୋଗକରିବା ସହ ନିଜ ଶତକ ମଧ୍ୟ ପୂରଣ କରିଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ଇନିଂସରେ ଭାରତର ୩୨୯ ରନ୍ ଜବାବରେ ଇଂଲଣ୍ଡ ୧୩୪ ରନରେ ଅଲଆଉଟ୍ ହୋଇଯାଇଥିଲା ।

Comments are closed.