ନୂଆ ପ୍ରାଇଭେସି ପଲିସି ନେଇ ହ୍ୱାଟ୍‌ସଆପ୍‌, ଫେସବୁକକୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ – ନୂଆ ପ୍ରାଇଭେସି ପଲିସି ନେଇ ଦାୟର ହୋଇଥିବା ଏକ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ସୋମବାର ଫେସବୁକ୍ ଓ ହ୍ୱାଟ୍‌ସଆପ୍‌କୁ ନୋଟିସ୍ ଜାରି କରିଛନ୍ତି । ନୂଆ ପ୍ରାଇଭେସି ପଲିସି ନେଇ ହ୍ୱାଟ୍‌ସଆପ୍ ଓ ଫେସବୁକ୍ ଠାରୁ ସର୍ବୋଚ୍ଚ ନ୍ୟାୟାଳୟ ଲିଖିତ ପ୍ରତିଶ୍ରୁତି ଚାହିଁଛନ୍ତି । ପ୍ରଧାନ ବିଚାରପତି ଏସ୍‌ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ଏହି ମାମଲାରେ ହ୍ୱାଟ୍‌ସଆପ୍ ଓ ଫେସବୁକ୍‌କୁ ନୋଟିସ୍ ଜାରି କରିବା ସହ ଭାରତୀୟ ୟୁଜରଙ୍କ ଡାଟା ସୁରକ୍ଷିତ ବୋଲି ଲିଖିତ ଭାବେ ଜଣାଇବାକୁ ଏହି ଦୁଇ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଚାରି ସପ୍ତାହ ପରେ ହେବ ।

ନୂଆ ପ୍ରାଇଭେସି ପଲିସିର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ହ୍ୱାଟ୍‌ସଆପ୍ ଓ ଫେସବୁକର ବଜାର ମୂଲ୍ୟ ୨-୩ ଟ୍ରିଲିୟନ୍ ହୋଇପାରେ, କିନ୍ତୁ ୟୁଜର ମାନଙ୍କ ଗୋପନୀୟତାର ମୂଲ୍ୟ ଏହାଠାରୁ ବେଶ୍ ଅଧିକ । କୋର୍ଟ କହିଥିଲେ ଲୋକଙ୍କ ଗୋପନୀୟତାକୁ ସୁରକ୍ଷା ଦେବା ହ୍ୱାଟ୍‌ସ୍‌ଆପ୍‌, ଫେସବୁକର ଦାୟିତ୍ୱ । ନୂଆ ପ୍ରାଇଭେସି ପଲିସି ନେଇ ୟଜୁରମାନେ ନିଜ ତଥ୍ୟ ଓ ଗୋପନୀୟତା ନେଇ ବେଶ୍ ଚିନ୍ତିତ ହୋଇପଡିଛନ୍ତି । ଏହି ମାମଲାରେ ହ୍ୱାଟସ୍‌୍‌ଆପ-ଫେସବୁକ୍ ନିଜ ପକ୍ଷ ରଖନ୍ତୁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଫେସବୁକ୍ ମାଲିକାନାରେ ଥିବା ହ୍ୱାଟ୍‌ସଆପ ଜାନୁୟାରୀରେ ନିଜ ୟୁଜର ମାନଙ୍କ ପାଇଁ ନୂଆ ପ୍ରାଇଭେସି ପଲିସି ଘୋଷଣା କରିଥିଲା । ନୂଆ ପ୍ରାଇଭେସି ପଲିସି ଗ୍ରହଣ ନ କଲେ ୟୁଜରଙ୍କ ହ୍ୱାଟ୍‌ଆପ୍ ଆକାଉଣ୍ଟ ଡିଲିଟ୍ ହେବ ବୋଲି ହ୍ୱାଟ୍‌ସଆପ୍ ସତ୍ତ ରଖିଥିଲା । ଏହା ବିରୋଧରେ ୟୁଜରଙ୍କ ଅସନ୍ତୋଷ ପରେ ହ୍ୱାଟ୍‌ସଆପ୍ ନୂଆ ପ୍ରାଇଭେସି ପଲିସି ଅପଡେଟ୍‌କୁ ମେ’ ଯାଏଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା ।

Comments are closed.