ଦ୍ୱିତୀୟ ଟେଷ୍ଟ: ବିଜୟରୁ ୭ ୱିକେଟ୍ ଦୂରରେ ଭାରତ, ୪୮୨ ରନର ବିଜୟଲକ୍ଷ୍ୟ ଜବାବରେ ଇଂଲଣ୍ଡ ୫୩/୩

ଚେନ୍ନାଇ – ଲୋକାଲ ବୟ ରବିଚନ୍ଦ୍ରନ ଅଶ୍ୱିନଙ୍କ ଅଲରାଉଣ୍ଡ୍ ପ୍ରଦର୍ଶନ ବଳରେ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ୍‌ରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ବୃହତ ବିଜୟ ଆଡକୁ ଅଗ୍ରସର ହୋଇଛି । ଅଶ୍ୱିନ କ୍ୟାରିୟରର ପଞ୍ଚମ ଶତକ ସହ ଦ୍ୱିତୀୟ ଇନିଂସରେ ଦଳକୁ ମଧ୍ୟକ୍ରମ ବିପର୍ଯ୍ୟୟରୁ ଉଦ୍ଧାର କରିଥିବା ବେଳେ ଇଂଲଣ୍ଡ ଆଗରେ ୪୮୨ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତ । ଏହାର ଜବାବରେ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୫୩ ରନରେ ୩ ୱିକେଟ୍ ହରାଇ ସଂଘର୍ଷ କରୁଛି । ଷ୍ଟମ୍ପ ଅପସାରଣ ବେଳକୁ ଜୋ ରୁଟ୍ ୨ ଓ ଡାନିଏଲ ଲରେନ୍ସ ୧୯ ରନ୍ କରି ଅପରାଜିତ ଅଛନ୍ତି ।

ଚମତ୍କାର ଶତକୀୟ ପାଳି ପରେ ଦ୍ୱିତୀୟ ଇନିଂସରେ ଅଶ୍ୱିନ ଗୋଟିଏ ୱିକେଟ ନେଇଥିବା ବେଳେ ଡେବୁଟାଣ୍ଟ୍ ଅକ୍ଷର ପଟେଲ୍ ୨ଟି ୱିକେଟ୍ ହାସଲ କରିଛନ୍ତି । ଭାରତ ବିଜୟରୁ ଆଉ ମାତ୍ର ୭ ୱିକେଟ୍ ଦୂରରେ ରହିଛି । ଇଂଲଣ୍ଡକୁ ଆହୁରି ୪୨୯ ରନ୍ ଦରକାର , ଯାହା ବ୍ୟାଟିଂ ପାଇଁ କ୍ରମାଗଚ ଚାଲେଞ୍ଜିଂ ହୋଇ ଚାଲିଥିବା ପିଚ୍‌ରେ ଅସମ୍ଭବ ମନେ ହେଉଛି ।
ପୂର୍ବରୁ ଅଶ୍ୱିନଙ୍କ ଶତକ ବଳରେ ଭାରତ ଦ୍ୱିତୀୟ ଇନିଂସରେ ମଧ୍ୟକ୍ରମ ବିପର୍ଯ୍ୟୟରୁ ମୁକୁଳି ୨୮୬ ରନ୍ କରି ଅଲଆଉଟ୍ ହୋଇଥିଲା । ପ୍ରଥମ ଇନିଂସରେ ୫ ୱିକେଟ ସଫଳତା ପରେ ଅଶ୍ୱିନ ବ୍ୟାଟିଂରେ ବି କମାଲ କରିଥିଲେ । ଏକ ଚାଲେଞ୍ଜିଂ ପିଚ୍‌ରେ ଏବଂ ନିଜ ହୋମ ଗ୍ରାଉଣ୍ଡରେ ଅଶ୍ୱିନ ଆକର୍ଷଣୀୟ ୧୦୬ ରନ୍ କରିଥିଲେ । ଏହା ତାଙ୍କ କ୍ୟାରିୟରର ପଞ୍ଚମ ଶତକ ଥିଲା । ଏହାଛଡ଼ା ସେ ତୃତୀୟ ଥର ପାଇଁ ଏକ ଟେଷ୍ଟରେ ପାଞ୍ଚ ୱିକେଟ୍ ସଫଳତା ସହ ଶତକ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି । ତାଙ୍କର ଏହି ଶତକୀୟ ପାଳିରେ ୧୪ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା ।

ପୂର୍ବରୁ ଭାରତ ତାର ଅସମାପ୍ତ ଦ୍ୱିତୀୟ ଇନିଂସ୍ ସ୍କୋର ୫୪/୧ରୁ ଖେଳ ଆରମ୍ଭ କରିଥିଲା । ହେଲେ ପ୍ରଥମ ସେସନରେ ହିଁ ଶୀଘ୍ର ଆଉ ୫ଟି ୱିକେଟ୍ ହରାଇ ସଙ୍କଟରେ ପଡିଥିଲା । ଭାରତ ଏକଦା ୧୦୬ ରନରେ ୬ ୱିକେଟ୍ ହରାଇ ଦେଇଥିଲା । ତେବେ ଅଧିନାୟକ ବିରାଟ କୋହଲି ଓ ଅଶ୍ୱିନ ସପ୍ତମ ୱିକେଟରେ ଗୁରୁତ୍ୱପୂର୍ଣ୍ଣ ୯୬ ରନ୍ ଯୋଗକରି ଦଳୀୟ ସ୍ଥିତି ମଜବୁତ କରିଥିଲେ । କୋହଲି ୭ଟି ଚୌକା ସହାୟତାରେ ୬୨ ରନ୍ କରିଥିଲେ । ଅଶ୍ୱିନ ପୁଣି ଦଶମ ୱିକେଟରେ ମହମ୍ମଦ ସିରାଜ (୧୬ ନଟ୍ ଆଉଟ୍‌)ଙ୍କ ସହ ଆଉ ୪୯ ରନ୍ ଯୋଗକରିବା ସହ ନିଜ ଶତକ ମଧ୍ୟ ପୂରଣ କରିଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ଇନିଂସରେ ଭାରତର ୩୨୯ ରନ୍ ଜବାବରେ ଇଂଲଣ୍ଡ ୧୩୪ ରନରେ ଅଲଆଉଟ୍ ହୋଇଯାଇଥିଲା ।

Comments are closed.