ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ, ପ୍ରଧାନମନ୍ତ୍ରୀ ମୋଦି ନେଲେ ଟିକା

ନୂଆଦିଲ୍ଲୀ – ଆଜି ଠାରୁ ଦେଶରେ ଆରମ୍ଭ ହୋଇଛି କରୋନା ବିରୋଧରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଳୀ ଏମ୍ସରେ ଟିକା ନେଇ ଏହି ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି ।

ମୋଦି ଭାରତ ବାୟୋଟେକ୍ ଦ୍ୱାରା ବିକଶିତ ଦେଶୀ ଟିକା ‘କୋଭାକ୍ସିନ’ ର ପ୍ରଥମ ଡୋଜ୍ ନେଇଛନ୍ତି । ପୁଡୁଚେରୀର ସିଷ୍ଟର ପି.ନିବେଦା ପ୍ରଧାନମନ୍ତ୍ରୀଙ୍କୁ ଟିକା ଲଗାଇଥିଲେ । ଟିକା ନେବା ପରେ ମୋଦି ଟ୍ୱିଟ୍ କରି ଦେଶର ବୈଜ୍ଞାନିକ ଓ ଡାକ୍ତରମାନଙ୍କୁ ପ୍ରଶଂସା କରିଛନ୍ତି । ଆମ ଡାକ୍ତର ଓ ବୈଜ୍ଞାନିକମାନେ ଅତି କମ୍ ସମୟରେ କରୋନା ବିରୋଧୀ ଲଢ଼େଇକୁ ସଶକ୍ତ କରିପାରିଛନ୍ତି ବୋଲି ମୋଦି କହିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟ ବକ୍ତି ଟିକା ନେବାକୁ ସେ ଅନୁରୋଧ କରିଛନ୍ତି । ସମସ୍ତେ ମିଶି ଦେଶକୁ କରୋନା ମୁକ୍ତ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

ଦ୍ୱିତୀୟ ପର୍ଯ୍ୟାୟରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କ ସହ ବିଭିନ୍ନ ଗମ୍ଭୀର ରୋଗରେ ପୀଡିତ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କୁ ଟିକା ଲଗାଯିବ । ଟିକାକରଣ ପାଇଁ କୋ-ୱିନ୍ ଆପ୍‌ରେ ପଞ୍ଜିକରଣ କରିବାକୁ ପଡିବ । ଏହି ଆପ୍‌ରେ ଗୋଟିଏ ପରିବାରର ସର୍ବାଧିକ ଚାରି ଜଣଙ୍କ ନାମ ପଞ୍ଜିକରଣ କରିହେବ । ହତାଧିକାରୀ ନିଜ ସୁବିଧା ଅନୁସାରେ ଟିକା ଗ୍ରହଣ କରିବା ତାରିଖ ଓ ସ୍ଥାନ ବାଛି ପାରିବେ ।

ଦ୍ୱିତୀୟ ପର୍ଯ୍ୟାୟରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଏବଂ ପୂର୍ବରୁ କୌଣସି ଦୁରାରୋଗରେ ପୀଡିତ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ଘରୋଇ ହସ୍ପିଟାଲରେ ଟିକା ନେଇପାରିବେ । ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକା ମାଗଣା ଦିଆଯିବ । ଘରୋଇ ହସ୍ପିଟାଲରେ ଟିକା ନେଲେ ଡୋଜ୍ ପିଛା ୨୫୦ ଟଙ୍କା ଦେୟ ଲାଗିବ । କୋ-ୱିନ୍ ଆପ୍ ବ୍ୟତୀତ ଆରୋଗ୍ୟ ସେତୁ ଆପ୍ ଜରିଆରେ ବି ହିତାଧିକାରୀ ଟିକାକରଣ ପାଇଁ ନିଜର ନାମ ପଞ୍ଜିକରଣ କରିପାରିବେ ବୋଲି କେନ୍ଦ୍ର ତରଫରୁ କୁହାଯାଇଛି ।

Comments are closed.