ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୧ ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉନ୍ନତିକଳ୍ପେ ୬୦୦ କୋଟି ଟଙ୍କାର ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରାଯାଇ କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାକରଣ କର୍ତ୍ତୁପକ୍ଷଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯାଇଛି । ଆସନ୍ତା ୨୦ ବର୍ଷ ମଧ୍ୟରେ ଏହି ଅର୍ଥରାଶି ବିନିଯୋଗ ହୋଇ ନନ୍ଦନକାନନକୁ ବିଶ୍ୱସ୍ତରୀୟ ଚିଡ଼ିଆଖାନାରେ ପରିଣତ କରାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି ।

ଆଜି ପୂର୍ବାହ୍ନରେ ନନ୍ଦନକାନନ ପରିସରରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମନ୍ତ୍ରୀ ଆରୁଖ କହିଲେ ଯେ ଆଜିକୁ ଠିକ୍ ୬୦ ବର୍ଷ ତଳେ ୧୯୬୦ ମସିହା ଡିସେମ୍ବର ୨୯ ତାରିଖରେ ନନ୍ଦନକାନନ ପ୍ରତିଷ୍ଠା ହୋଇଥିଲା । ନନ୍ଦନକାନନର ଶୁଭାରମ୍ଭ ୩.୬୨ ବର୍ଗ କିଲୋମିଟର ଅଞ୍ଚଳରେ ହୋଇଥିଲାବେଳେ ଆଜି ଏହାର ପରିସର ୧୦୪୩.୩୨ ହେକ୍ଟରକୁ ବୃଦ୍ଧି ପାଇଛି ।

୧୧ଟି ପ୍ରାଣୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଚିଡ଼ିଆଖାନାରେ ଆଜି ୩ ହଜାର ୭୮୭ ବନ୍ୟ ପଶୁପକ୍ଷୀ , ସରିସୃପ , ଉଭୟଚର ପ୍ରାଣୀ ୨୧୨ଟି ଖୁଆଡରେ ରହିଛନ୍ତି । କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣ’ର ସମସ୍ତ ନିୟମବଳୀ ଦ୍ୱାରା ପରିଚାଳିତ ହୋଇ ବିଶ୍ୱସ୍ତରୀୟ ଚିଡ଼ିଆଖାନା ଭାବେ ବିକଶିତ ହେବା ପାଇଁ ଦେଶର ୭୨ଟି ଚିଡିଆଖାନା ମଧ୍ୟରୁ ୧୫ଟି ବିଛାଯାଇଥିବା ଚିଡ଼ିଆଖାନା ମଧ୍ୟରେ ଏହା ସ୍ଥାନ ପାଇଛି । ନିନ୍ଦନକାନନର ୨୭୦ରୁ ଉର୍ଦ୍ଦ ବନ୍ୟଜନ୍ତୁଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରାଯାଇଛି । ଏଥିରୁ ପ୍ରାୟ ୩୦ ଲକ୍ଷ ଟଙ୍କାର ରାଜସ୍ବ ମିଳିଛି । ଚଳିତ ବର୍ଷ ଗଧିଆ ଖୁଆଡ଼ି , ନୂତନ ବିଦେଶୀ ମାଙ୍କଡ଼ ଖୁଆଡ଼ ନିର୍ମିତ ହୋଇ ଦର୍ଶକମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି ।

ଏ ବର୍ଷ ୩୫ କୋଟି ଟଙ୍କା ବ୍ୟୟରେ ବହୁତଳବିଶିଷ୍ଟ ମଟରଯାନ ରହଣି ସ୍ଥଳ , ୫ କୋଟି ଟଙ୍କା ବ୍ୟୟରେ ଶିଶୁ ରେଳଗାଡ଼ିର ପୁନରୁଦ୍ଧାର କାର୍ଯ୍ୟ ଚାଲୁରହିଛି । ୨୦ ଲକ୍ଷ ଟଙ୍କା ବ୍ୟୟରେ ପର୍ଯ୍ୟଟକମାନଙ୍କ ପାଇଁ ନୂତନ ପ୍ରସ୍ଥାନ ବାଟି ଓ ୭୪ ଲକ୍ଷ ଟଙ୍କା ବ୍ୟୟରେ ନୂତନ ସଫାରୀ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯାଇଛି । ସଂପୂର୍ଣ୍ଣ ନୂତନ ଓ ଆଧୁନିକ ଯନ୍ତ୍ରପାତି ସହିତ ପଶୁ ଚିକିତ୍ସାଳୟ , ଆଇସୋଲେସନ ଗୃହ , କ୍ବାରାଣ୍ଟାଇନ୍ ଗୃହ , ପରୀକ୍ଷାଗାର ଓ ଅସ୍ତ୍ରୋପଚାର ଗୃହ ପଶୁପକ୍ଷୀଙ୍କ ସ୍ୱାସ୍ଥ୍ୟସେବାର ନୂତନ ଦିଗନ୍ତ ସୃଷ୍ଟି କରିଛି । ଅଭିଜ୍ଞ ପଶୁଡାକ୍ତରମାନଙ୍କ ଦ୍ଵାର । ଏହି ଚିକିତ୍ସାଳୟରେ ୨୪ ଘଣ୍ଟିଆ ପ୍ରାଣୀସେବା ଉପଲବ୍ଧ ହେଉଛି ।

ପଶୁମାନଙ୍କ ଖାଦ୍ୟର ନିରବଚ୍ଛିନ୍ନ ଉତ୍ପାଦନ ପାଇଁ ଘାସଚାଷ , ଜୀବନ୍ତ ପ୍ରାଣୀ ଉତ୍ପାଦନ କେନ୍ଦ୍ର ଓ ଏକ ବଧଗୃହ ନିର୍ମିତ ହୋଇଛି । ଆଗାମୀ ଦିନରେ ଅନ୍ୟାନ୍ୟ ଚିଡ଼ିଆଖାନାରୁ ଗଧିଆ , ବଳିଆ କୁକୁର , ଜିରାଫ , ଜେବ୍ରା , ଗଣ୍ଡା , ଆସାମୀ ମାଙ୍କଡ଼ , ପିଗଟେଲ୍ ମାଙ୍କଡ଼ , ଷ୍ଟମ୍ପଟେଲ୍ ମାଙ୍କଡ଼ , ବବୁନ ମାଙ୍କଡ଼ , ଗିବନ୍ ଇତ୍ୟାଦି ଅଣାଯିବ ବୋଲି ମନ୍ତ୍ରୀ ଆରୁଖ ସୂଚନା ଦେଇଥିଲେ । ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ , ଭୁବନେଶ୍ୱର ( ଉତ୍ତର ) ବିଧାୟକ ସୁଶାନ୍ତ କୁମାର ରାଉତ , ଅତିରିକ୍ତ ମୁଖ୍ୟ ଶାସନ ସଚିବ ( ଜଙ୍ଗଲ ଓ ପରିବେଶ ) ଡ . ମୋନା ଶର୍ମା , ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ , ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ( ବନ୍ୟପ୍ରାଣୀ ) ହରିଶଂକର ଉପାଧ୍ୟାୟ , ନନ୍ଦନକାନନ ନିର୍ଦ୍ଦେଶକ ଶଶୀ ପଲ , ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓଡିଶା ସର୍କଲର ମୁଖ୍ୟ ମହା ପ୍ରବନ୍ଧକ ରୁମା ଦେ , ଜିନ୍ଦଲ ଷ୍ଟିଲର ଆସୋସିଏଟ୍ ଭାଇସ୍ ପ୍ରେସିଡେଣ୍ଠ ରାକେଶ ମିଶ୍ର ପ୍ରମୁଖ ଯୋଗ ଦେଇ ନନ୍ଦନକାନନର ଶ୍ରୀବୃଦ୍ଧି ଉପରେ ସୁଚିନ୍ତିତ ମତାମତ ଦେଇଥିଲେ ।

୨୦ ଲକ୍ଷ ଟଙ୍କା ବ୍ୟୟରେ ପର୍ଯ୍ୟଟକମାନଙ୍କ ପାଇଁ ନୂତନ ପ୍ରସ୍ଥାନ ବାଟ ଓ ୭୪ ଲକ୍ଷ ଟଙ୍କା ବ୍ୟୟରେ ନୂତନ ସଫାରୀ ବସ୍‌ଷ୍ଟାଣ୍ଡ ମନ୍ତ୍ରୀ ଶ୍ରୀ ଆରୁଖଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଥିଲା । ସେ ବାଘ ଓ ସ୍ନେହା ବାଘୁଣୀଙ୍କୁ ଦୁଇ ଶାବକ ଲବ ଓ କୁଶ ନାମରେ ନାମିତ ହୋଇଥିଲେ । ନନ୍ଦନକାନନ ବାର୍ଷିକ ବିବରଣୀ ୨୦୧୯ – ୨୦ , ପର୍ଯ୍ୟଟକମାନଙ୍କ ପାଇଁ ନୂତନ ବ୍ରୋସିଅର ଓ ସୁଦୃଶ୍ୟ କ୍ୟାଲେଣ୍ଡର୍‌କୁ ମନ୍ତ୍ରୀ ଆରୁଖ ଉନ୍ମୋଚନ କରିଥିଲେ ।

Comments are closed.