ନୂଆ ଆନ୍ଧ୍ର ଷ୍ଟ୍ରେନ ଚିନ୍ତା : ଗିରିଶୋଲା ସୀମାନ୍ତ ଚେକ୍ ଗେଟରେ ତଦାରଖ ବ୍ୟବସ୍ଥାର ସମୀକ୍ଷା କଲେ ବ୍ରହ୍ମପୁର ଏସପି

ବ୍ରହ୍ମପୁର – କୋରୋନା ଭୂତାଣୁର ନୂଆ ଆନ୍ଧ୍ର ଷ୍ଟ୍ରେନ ଚିନ୍ତା ବଢାଇଥିବା ବେଳେ ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର ରଖାଯାଉଛି । ସୀମା ସିଲ୍ କରାଯାଇ ଯାଂଚ କଡାକଡି କରାଯାଇଛି । ବ୍ରହ୍ମପୁର ଏସପି ପୀନାକ ମିଶ୍ର ଆଜି ଆନ୍ଧ୍ର ସୀମାନ୍ତ ତନଖି ଫାଟକ ଗିରିଶୋଲା ଯାଇ ଆନ୍ଧ୍ର ପଟୁ ଲୋକଙ୍କ ଚଳ ପ୍ରଚଳ ଉପରେ କେମିତି ନଜର ରଖାଯାଉଛି, ତାହାର ସମୀକ୍ଷା କରିଥିଲେ । ନୂଆ ଆନ୍ଧ୍ର ଷ୍ଟ୍ରେନ ଯୋଗୁଁ ଆନ୍ଧ୍ର ସୀମାନ୍ତବର୍ତ୍ତୀ ଅଂଚଳରେ କଡା ନଜର ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଏସପି ପୀନାକ ମିଶ୍ର ଗିରିଶୋଲା ସୀମାନ୍ତ ତନଖି ଫାଟକ ଅଂଚଳରେ ମୁତୟନ ପୋଲିସ କର୍ମଚାରୀଙ୍କ ସହ ଆଲୋଚନା କରିବା ସହ କୋଭିଡ ନିୟମ କଡାକଡି ଭାବେ ପ୍ରବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପଡୋଶୀ ରାଜ୍ୟରୁ ଓଡିଶାକୁ ଆସୁଥିବା ଲୋକଙ୍କ ଉପରେ କଡା ନଜର ରଖିବା ପାଇଁ ସେ କହିଛନ୍ତି । ତଦାରଖ ପଦକ୍ଷେପ ନେଇ ବ୍ରହ୍ମପୁର ଏସପି ଅନ୍ୟାନ୍ୟ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ।

Comments are closed.