ନୋଏଡା, ଗାଜିଆବାଦରେ ନାଇଟ୍ କର୍ଫ୍ୟୁ

ନୂଆଦିଲ୍ଲୀ – କରୋନା ମାମଲା ବଢ଼ୁଥିବାରୁ ଉତ୍ତର ପ୍ରଦେଶର ନୋଏଡା ଓ ଗାଜିଆବାଦରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନାଇଟ୍ କଫ୍ରୁ୍ୟ ଘୋଷଣା କରାଯାଇଛି । ଏହ ଦୁଇ ସହରରେ ଆଜିଠାରୁ ଏପ୍ରିଲ ୧୭ ଯାଏଁ ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗିବ । ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବାକୁ କଟକଣାମୁକ୍ତ କରାଯାଇଛି ।

କୋଭିଡ୍ ସ୍ଥିତି ଉପରେ ସମୀକ୍ଷା ବୈଠକ ପରେ ନୋଏଡା ଓ ଗାଜିଆବାଦ ପ୍ରଶାସନ ନାଇଟ୍ କର୍ଫ୍ୟୁ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ୫୦୦ରୁ ଊର୍ଦ୍ଧ୍ୱ ସକ୍ରିୟ ମାମଲା ରହିଥିବା ଜିଲ୍ଲାରେ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ଜିଲ୍ଲାପାଳ ମାନଙ୍କୁ ରାଜ୍ୟ ସରକାର କ୍ଷମତା ପ୍ରଦାନ କରିଛନ୍ତି ।

କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ସରକାରୀ ଓ ବେସରକାରୀ କର୍ମଚାରୀଙ୍କ ଯାତାୟତ ଉପରେ କୌଣସି କଟକଣା ଲାଗିବ ନାହିଁ । ପୋଲିସ୍‌, ହସ୍ପିଟାଲ, ଅଗ୍ନିଶମ ଓ ଅନ୍ୟ ଗୁୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ନିଜ ପରିଚୟପତ୍ର ଦେଖାଇ ଯା’ଆସ କରିପାରିବେ । ସେହିପରି ସାମ୍ବାଦିକ, ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନୀ, ପେଟ୍ରୋଲପମ୍ପ ,ଟେଲିକମ, ବ୍ୟାଙ୍କ୍ କର୍ମଚାରୀ ଏବଂ ଏଟିଏମ୍ ଅପରେଟରଙ୍କୁ ମଧ୍ୟ ରାତ୍ରି ସମୟରେ ପରିଚୟ ପତ୍ର ଦେଖାଇ ଯାତାୟତ କରିପାରିବେ ।

ମେଡିକାଲ, ପାରାମେଡିକାଲ ଓ ନର୍ସିଂକୁ ଛାଡ଼ି ଏପ୍ରିଲ ୧୭ ଯାଏଁ ସବୁ ଘରୋଇ ଓ ସରକାରୀ କୋଚିଂ ଅନୁଷ୍ଠାନ ବନ୍ଦ ରହିବ । ତେବେ ଏହି ସମୟ ମଧ୍ୟରେ ହେବାକୁ ଥିବା ପ୍ରାକ୍ଟିକଲ ସହ ସବୁ ପରୀକ୍ଷା ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଅନୁଷ୍ଠିତ ହେବ ବୋଲି କୁହାଯାଇଛି ।

Comments are closed.