ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରାରେ ଲାଗିବ ୧୪୪ ଧାରା

ବ୍ରହ୍ମପୁର: ବ୍ରହ୍ମପୁରର ଆରାଧ୍ୟା ଦେବୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଶୁକ୍ରବାର ଏପ୍ରିଲ ୯ ତାରିଖ ମଧ୍ୟରାତ୍ରରୁ ଆରମ୍ଭ ହେବ। ତେବେ କୋଭିଡ୍ ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ଏଥର ଦେବୀ ନିଜ ସ୍ଥାୟୀ ପୀଠରୁ ବାପଘର ଅର୍ଥାତ ଦେଶୀବେହେରା ସାହିସ୍ଥିତ ଅସ୍ଥାୟୀ ମଣ୍ଡପକୁ ପୁଲିସ କର୍ଡନ ମଧ୍ୟରେ ଆସିବେ। ଭିଡ଼ ନିୟନ୍ତ୍ରଣ ପାଇଁ ମା’ଙ୍କ ଆଗମନ ବେଳେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯିବ। ବୁଢ଼ୀ ଠାକୁରାଣୀ ମନ୍ଦିର ଠାରୁ ଅସ୍ଥାୟୀ 

ପୀଠ ରାସ୍ତାରେ ୦୯/୦୪/୨୧ ସନ୍ଧ୍ୟା ୬ଟା ଠାରୁ ୧୪୪ ଧାରା ଜାରି କରାଯିବ। ପୂର୍ବରୁ ଶୁଭଖୁଣ୍ଟି ସ୍ଥାପନ ବେଳେ ଲୋକେ କୋଭିଡ୍ କଟକଣାକୁ ସମ୍ପୂର୍ଣ୍ଣ ଅଣଦେଖା କରିଥିଲେ। ଏଥର ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ବିଏମସି କମିଶନର୍ ଡ ସିଦ୍ଧେଶ୍ବର ବଳିରାମ ବୋନ୍ଦାର।

ଏହି ଦ୍ବିବାର୍ଷିକ ଯାତ୍ରାରେ ଶ୍ରଦ୍ଧାଳୁ ଏଥର କେବଳ ଦେବୀ ଦର୍ଶନ କରିପାରିବେ। ପୂଜା, ଭୋଗ ପ୍ରସାଦ ସମ୍ପୂର୍ଣ୍ଣ ବାରଣ ହୋଇଛି। କଟକଣା ଉଲ୍ଲଂଘନ କ୍ଷେତ୍ରରେ ଦର୍ଶନ ମଧ୍ୟ ବନ୍ଦ ହୋଇପାରେ। ବୁଧବାର ଅନୁଷ୍ଠିତ ପ୍ରଶାସନ- ପୁଲିସ- ଆୟୋଜକ ସମନ୍ବୟ ବୈଠକରେ ଏ ନେଇ ଆଲୋଚନା ହୋଇଥିଲା। ଏଥର ଘଟ ପରିକ୍ରମା, ରଥ ଓ କଳାକୁଞ୍ଜ, ବେଶ ଆଦି ଉପରେ ମଧ୍ୟ କଟକଣା ଜାରି ହୋଇଛି। ତେବେ ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଯାତ୍ରା ସକାଶେ ଅନୁମତି ଦିଆଯାଇଛି। ତେବେ ଶ୍ରଦ୍ଧାଳୁ, ଆୟୋଜକ ସମସ୍ତେ କୋଭିଡ୍ କଟକଣା ମାନି ଯାତ୍ରାରେ ସାମିଲ ହୁଅନ୍ତୁ, ନିରାପଦ ରୁହନ୍ତୁ ବୋଲି ନିବେଦନ କରିଛନ୍ତି ବିଏମସି କମିଶନର୍ ଡ ବୋନ୍ଦାର।

Comments are closed.