ପାଙ୍ଗୋଙ୍ଗ ହ୍ରଦ-ଗଲ୍ଓ୍ବାନ ଘାଟି ପରିଦର୍ଶନରେ ଯିବ ପ୍ରତିରକ୍ଷା ବ୍ୟାପାର ସଂସଦୀୟ କମିଟି

ନୂଆଦିଲ୍ଲୀ – ଭାରତ ଏବଂ ଚୀନ୍ ମଧ୍ୟରେ ବୁଝାମଣା ପରେ ଉଭୟ ଦେଶର ସୈନ୍ୟବାହିନୀ ପୂର୍ବ ଲଦାଖ ନିକଟ ଏଲ୍ଏସି ରୁ ପଛକୁ ହଟିବା ଆରମ୍ଭ କରିଛନ୍ତି। ସେପଟେ ପ୍ରତିରକ୍ଷା ବ୍ୟାପାର ସଂସଦୀୟ ଷ୍ଟାଣ୍ଡିଂ କମିଟି ପୂର୍ବ ଲଦାଖ ଅଞ୍ଚଳର ପାଙ୍ଗଙ୍ଗ ହ୍ରଦ ଏବଂ ଗଲ୍ଓ୍ବାନ ଉପତ୍ୟକା ପରିଦର୍ଶନ କରିବାକୁ ନିଷ୍ପତ୍ତି ନେଇଥିବା ସୂତ୍ରରୁ ପ୍ରକାଶ।

ବରିଷ୍ଠ ବିଜେପି ନେତା ଜୁଆଲ ଓରାମଙ୍କ ନେତୃତ୍ୱରେ ଏହି କମିଟି ମେ କିମ୍ବା ଜୁନ୍ ଶେଷ ସପ୍ତାହରେ ସେଠାକୁ ଯିବାକୁ ଚାହୁଁଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏହି କମିଟିର ସଦସ୍ୟ ଅଛନ୍ତି । କମିଟିର ଗତ ବୈଠକରେ ଏହି ଅଞ୍ଚଳ ପରିଦର୍ଶନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ସୂତ୍ରରୁ ପ୍ରକାଶ। ରାହୁଲ ସେହି ବୈଠକରେ ଯୋଗ ଦେଇନଥିଲେ। ପ୍ରକୃତ ନିୟନ୍ତ୍ରଣ ରେଖା(ଏଲ୍ଏସି) ପାଖକୁ ଯିବାକୁ ହେଲେ କମିଟିକୁ ସରକାରଙ୍କ ଅନୁମତି ନେବାକୁ ପଡିବ।
ଅନ୍ୟପକ୍ଷରେ, ଉଭୟ ଦେଶର ସୈନ୍ୟବାହିନୀ ପାଙ୍ଗୋଙ୍ଗ ସୋ ହ୍ରଦର ଉତ୍ତର ଏବଂ ଦକ୍ଷିଣ ଭଗରୁ ପଛକୁ ଫେରିବା ଆରମ୍ଭ କରି ଦେଇଛନ୍ତି। ଏହାରି ଭିତରେ ପାଙ୍ଗଙ୍ଗ-ସୋ ହ୍ରଦର ଦକ୍ଷିଣକୁ ଫେରୁଥିବା ଚୀନ୍ ସେନା ଟ୍ୟାଙ୍କ ଗୁଡିକର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଭିଡିଓରେ ଉଭୟ ଦେଶର ସାମରିକ କମାଣ୍ଡୋମାନେ ମଧ୍ୟ ନଜର ଆସୁଛନ୍ତି ।

ଗତ ନଅ ମାସ ମଧ୍ୟରେ, ଚୀନ୍ ସେନା ଫିଙ୍ଗର୍-୪ ରୁ ୮ ମଧ୍ୟରେ ବହୁ ସଂଖ୍ୟକ ବଙ୍କର୍, ବ୍ୟାରେକ୍ ଏବଂ ହେଲିପ୍ୟାଡ୍ ତିଆରି କରିଥିଲା | ଭାରତୀୟ ସେନା ମଧ୍ୟ ଧନସିଂ ଥାପା ପୋଷ୍ଟ ସମ୍ମୁଖରେ ଆସି ଫିଙ୍ଗର-୪ ନିକଟରେ କ୍ୟାମ୍ପ ସ୍ଥାପନ କରିଥିଲେ।

Comments are closed.