ପାଞ୍ଚ ରାଜ୍ୟରେ ଟିକାକରଣ ପ୍ରମାଣପତ୍ରରୁ ମୋଦିଙ୍କ ଫଟୋ ହଟାଇବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ – ବିଧାନସଭା ନିର୍ବାଚନ ହେବାକୁ ଥିବା ପାଞ୍ଚ ରାଜ୍ୟରେ କୋଭିଡ୍‌-୧୯ ଟିକାକରଣ ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ହଟାଇବାକୁ ନିର୍ବାଚନ କମିଶନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ଆସାମ ସହ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ କୋଭିଡ୍ ଟିକାକରଣ ଟିକାକରଣ ପ୍ରମାଣପ୍ରତରେ ମୋଦିଙ୍କ ଫଟୋ ରହିବା ଆଦର୍ଶ ଆଚରଣ ସଂହିତାର ଉଲ୍ଲଂଘନ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିକଟକୁ ଏକ ପତ୍ରରେ ନିର୍ବାଚନ କମିଶନ କହିଛି ।

ଟିକାକରଣ ପ୍ରମାଣପତ୍ରରେ ମୋଦିଙ୍କ ଫଟୋ ରହିବା ନେଇ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦ ଡେରେକ୍ ଓ’ବ୍ରାଏନ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ । ଏନେଇ ନିର୍ବାଚନ କମିଶନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟରୁ ଜବାବ ତଲବ କରିଥିଲା । ଟିଏମ୍‌ସି ସାଂସଦ ଡେରେକ୍ ଓ’ବ୍ରାଏନ କହିଥିଲେ ଯେ, ଟିକାକରଣ ପ୍ରମାଣପତ୍ରରେ ନିଜର ଫଟୋ ଛାପି ପ୍ରଧାନମନ୍ତ୍ରୀ ନିଜର ପଦ ଓ କ୍ଷମତାର ଅପବ୍ୟବହାର କରୁଛନ୍ତି ।

ନିକଟରେ ନିର୍ବାଚନ କମିଶନ ଉକ୍ତ ପାଞ୍ଚ ରାଜ୍ୟର ପେଟ୍ରୋଲ ପମ୍ପ୍ ଡିଲରଙ୍କୁ ମଧ୍ୟ ମୋଦିଙ୍କ ଫଟୋ ଥିବା ହୋର୍ଡିଂ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

ନିର୍ବାଚନ କମିଶନ ଫେବୃୟାରୀ ୨୬ରେ ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ, ଆସାମ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ । ନିର୍ବାଚନ ତାରିଖ ଘୋଷଣା ହେବା ପରଠୁ ଏହି ପାଞ୍ଚ ରାଜ୍ୟରେ ଆଦର୍ଶ ଆଚରଣ ସଂହିତା ଲାଗୁ ହୋଇଛି ।

Comments are closed.