ମୁଥୁଟ୍ ଗ୍ରୁପ୍‌ର ଚେୟାରମ୍ୟାନ୍ ଏମ୍‌ଜି ମୁଥୁଟ୍‌ଙ୍କ ପରଲୋକ

ନୂଆଦିଲ୍ଲୀ – ମୁଥୁଟ୍ ଗ୍ରୁପ୍‌ର ଚେୟାରମ୍ୟାନ୍ ଏମ୍‌ଜି ଜର୍ଜ ମୁଥୁଟଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା । ଜର୍ଜ ମୁଥୁଟ୍ ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଗୋଲ୍ଡ ଲୋନ୍ କ୍ଷେତ୍ରରେ ମୁଥୁଟ୍ ଫାଇନାନ୍ସ ହେଉଛି ଦେଶର ସବୁଠୁ ବଡ଼ ଅଣ ବ୍ୟାଙ୍କିଙ୍ଗ୍ ବିତ୍ତୀୟ କମ୍ପାନୀ (ଏନ୍‌ବିସିଏଫ୍‌ସି) ।

ଜର୍ଜ ମୁଥୁଟ୍ ସିଡ଼ିରୁ ଖସି ପଡ଼ିଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲକୁ ଅଣା ଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଜର୍ଜ ମୁଥୁଟ୍ ନିଜ ପରିବାରର ତୃତୀୟ ପିଢ଼ିର ସଦସ୍ୟ ଥିଲେ ଯିଏ କି ମୁଥୁଟ୍ ଗ୍ରୁପ୍‌ର ଚେୟାରମ୍ୟାନ୍ ହୋଇଥିଲେ । ଜର୍ଜ ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଫିକି)ର ସଦସ୍ୟ ଥିଲେ । ସେ ଫିକିର କେରଳ ଶାଖାର ଅଧ୍ୟକ୍ଷ ମଧ୍ୟ ଥିଲେ । ଜର୍ଜ ମୁଥୁଟ୍ ଗତବର୍ଷ ଫୋର୍ବସର ଧନୀ ତାଲିକାରେ ସାମିଲ ହୋଇଥିଲେ । ମୁଥୁଟ୍ ଗ୍ରୁପ୍‌ର ବିଶ୍ୱବ୍ୟାପୀ ୫୦୦୦ରୁ ଊର୍ଦ୍ଧ୍ୱ ଶାଖା ରହିଥିବା ବେଳେ ୨୦ରୁ ଅଧିକ ପୃଥକ ବ୍ୟବସାୟରେ ବି ଏହି କମ୍ପାନୀ ଜଡିତ ଅଛି ।

Comments are closed.