ପ୍ରଥମ ଥର ମଣିଷ ଦେହରେ ବାର୍ଡ ଫ୍ଲୁ ଚିହ୍ନଟ

ମସ୍କୋ – କରୋନା କବଳରୁ ବିଶ୍ୱବାସୀ ମୁକୁଳି ନଥିବାବେଳେ ଏବେ ଆଉ ଏକ ସ୍ୱାସ୍ଥ୍ୟ ସଙ୍କଟ ମୁଣ୍ଡ ଟେକିଛି । ପ୍ରଥମ ଥର ପାଇଁ ମଣିଷ ଦେହରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି । ରୁଷରୁ ଆସୁଛି ଏଭଳି ଚିନ୍ତାଜନକ ଖବର । ରୁଷ ସରକାରଙ୍କ ସୂଚନା ଅନୁସାରେ ଦେଶରେ କିଛି ଲୋକଙ୍କ ଠାରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି ।

ଯେଉଁ ଲୋକଙ୍କ ଠାରେ ଏହି ଏଚ୍‌୫ଏନ୍‌୮ ଭୂତାଣୁ ଚିହ୍ନଟ ହୋଇଛି, ସେମାନେ ସବୁ ଏକ କୁକୁଡ଼ା ଫାର୍ମରେ କାମ କରୁଥିଲେ । ସେମାନଙ୍କ ଠାରେ ସାମାନ୍ୟରୁ ମଧ୍ୟମ ଧରଣର ଲକ୍ଷଣ ପ୍ରକାଶ ପାଇଥିଲା । ତେବେ ସବୁ ଆକ୍ରାନ୍ତ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଛନ୍ତି ।

ମଣିଷ ଦେହକୁ ବାର୍ଡ ଫ୍ଲୁ ଡେଇଁବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ଚକିତ କରିଛି । କାରଣ ଏହା ପୂର୍ବରୁ ଏହି ଭୂତାଣୁ ମଣିଷ ଦେହକୁ ସଂକ୍ରମିତ ହେବାର ଦୃଷ୍ଟାନ୍ତ ନଥିଲା । ରୁଷର ସରକାରୀ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ଆନ୍ନା ପୋପୋଭା କହିଛନ୍ତି ଯେ, ମଣିଷରୁ ମଣିଷ ଦେହକୁ ଏହି ଭାଇରସ ବ୍ୟାପିବାର ନଜିର ନାହିଁ । କିନ୍ତୁ ଏଭଳି ଘଟଣା ଏବେ ସାମ୍ନାକୁ ଆସିବା ପରେ ଆଗକୁ କ’ଣ ହେବ ତାହା କହିବା ମୁସ୍କିଲ । ବାର୍ଡ ଫ୍ଲୁ ଭାଇରସ ମ୍ୟୁଟେଟ୍ ହୋଇ ମଣିଷ ଦେହକୁ ଡେଇଁଥାଏ ପାରେ ବୋଲି ସେ ସନ୍ଦେହ ବ୍ୟକ୍ତ କରିଛନ୍ତି । କରୋନା ଭଳି ସଙ୍କଟର ପୁନରାବୃତ୍ତି ଏଡାଇବାକୁ ଆମକୁ ଏବେଠୁଁ ହିଁ ସତର୍କ ରହିବାକୁ ପଡିବ ବୋଲି ସେ କହିଛନ୍ତି ।

Comments are closed.