ପ୍ରଥମ ଥର ମାନିଲା ଚୀନ୍‌, ଗଲୱାନ ଘାଟି ସଂଘର୍ଷରେ ଡ୍ରାଗନ ସେନା ବି ମରିଛନ୍ତି

ନୂଆଦିଲ୍ଲୀ – ଦୀର୍ଘ ୮ ମାସର ମୁହାଁମୁହିଁ ପରିସ୍ଥିତି ପରେ ଲଦାଖ୍ ସୀମାରୁ ଭାରତ ଓ ଚୀନ୍ ନିଜ ନିଜର ସେନା ପ୍ରତ୍ୟାହାର କରିଛନ୍ତି । ଇତିମଧ୍ୟରେ ଗଲୱାନ୍ ଘାଟି ସଂଘର୍ଷରେ ଏହାର ସୈନିକ ମଧ୍ୟ ପ୍ରାଣ ହରାଇଥିଲେ ବୋଲି ଚୀନ୍ ପ୍ରଥମ ଥର ସରକାରୀ ସ୍ତରରେ ସ୍ୱୀକାର କରିଛି । ଚୀନ୍ କହିଛି ଯେ, ଭାରତୀୟ ସେନା ସହ ଗଲୱାନ ଘାଟିରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ଏହାର ୪ ଜଣ ଯବାନଙ୍କ ମୃତ୍ୟୁ ହୋଇଥିଲା ଏବଂ ଏଥିରେ ଜଣେ ସୈନିକ ଆହତ ହୋଇଥିଲେ । ଚୀନର ସେଣ୍ଟ୍ରାଲ୍ ମିଲିଟାରୀ କମିଶନ (ସିଏମ୍‌ଦସି) ଶୁକ୍ରବାର ମୃତ ସୈନିକଙ୍କୁ ବୀରତ୍ୱ ପଦକ ସହ ମରଣୋତ୍ତୋର ଭାବେ ସମ୍ମାନିତ କରିଛି । ଚୀନର ସରକାରୀ ଟିଭି ‘ସିଜିଟିଏନ୍‌’ ଏହି ସୂଚନା ଦେଇଛି ।

ଗଲୱାନ ଘାଟି ସଂଘର୍ଷରେ ଏହାର କେବଳ ୪ ସୈନିକଙ୍କ ମୃତ୍ୟୁ ହୋଇଥିଲା ବୋଲି ଚୀନ୍ କହିଥିଲେ ବି ଏହା ବିଶ୍ୱାସଯୋଗ୍ୟ ହେଉନାହିଁ । କାରଣ ଗଲୱାନ ଘାଟି ସଂଘର୍ଷ ପରେ ଅନ୍ତର୍ଜାତୀୟ ଗଣମାଧ୍ୟମ ଓ ଭାରତୀୟ ଗୋଇନ୍ଦା ସଂସ୍ଥା ତରଫରୁ କୁହାଯାଇଥିଲା ଯେ, ଭାରତୀୟ ଯବାନଙ୍କ ପ୍ରତିଆକ୍ରମଣରେ ଚୀନର ୪୫ ସୈନିକ ପ୍ରାଣ ହରାଇଥିଲେ ।

ଜୁନରେ ସୀମା ବିବାଦ ନେଇ ଲଦାଖର ଗଲୱାନ ଘାଟିରେ ଭାରତୀୟ ଓ ଚୀନ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା । ଏଥିରେ ଭାରତର ୨୦ ଯବାନ ସହିଦ୍ ହେଇଥିଲେ । ସହିଦ ଯବାନଙ୍କ ମଧ୍ୟରୁ ଗଣତନ୍ତ୍ର ଦିବସରେ ୬ ଜଣଙ୍କୁ ବୀରତ୍ୱ ସମ୍ମାନ ପ୍ରଦାନ କରାଯାଇଥିଲା । କର୍ଣ୍ଣନ ସନ୍ତୋଷ ବାବୁଙ୍କୁ ମରଣୋତ୍ତୋର ଭାବେ ମହାବୀର ଚକ୍ର ପ୍ରଦାନ କରାଯାଇଥିଲା । ଅନ୍ୟ ପାଞ୍ଚ ଜଣ ସହିଦ ଯବାନଙ୍କକୁ ବୀରଚକ୍ର ସମ୍ମାନ ମିଳିଥିଲା ।

ଉଲ୍ଲେଖଯୋଗ୍ୟ ଯେ, ଲଦାଖ ସୀମାରେ ୯ ମାସର ଯୁଦ୍ଧ ଭଳି ସ୍ଥିତି ପରେ ନିକଟରେ ଭାରତ ଓ ଚୀନ ସେନା ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରୁ ନିଜ ସୈନିବାହିନୀ ପ୍ରତ୍ୟାହାର କରିଛନ୍ତି ।

Comments are closed.