‘ଫଟା ଜିନ୍‌ସ’ ମନ୍ତବ୍ୟ ପରେ ପୁଣି ବିବାଦରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ, ଅଧିକ ରାସନ ପାଇଁ ଅଧିକ ସନ୍ତାନ ଜନ୍ମ କରିବାକୁ ଲୋକଙ୍କୁ ଆହ୍ୱାନ

ଡେରାଡୁନ୍ – ନିକଟରେ ଝିଅମାନଙ୍କ ‘ଫଟା ଜିନ୍‌ସ’ ଉପରେ ଟିପ୍ପଣୀ କରି ସମାଲୋଚିତ ହୋଇଥିବା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ ପୁଣି ଥରେ ଅଜବ ଯୁକ୍ତି ପାଇଁ ବିବାଦ ଘେରକୁ ଆସିଛନ୍ତି । ସେ କହିଛନ୍ତି ଯେ, କରୋନା ମହାମାରୀ ସମୟରେ ଅଧିକ ରାସନ ପାଇବାକୁ ଇଚ୍ଛୁକ ଥିବା ଲୋକ ଅଧିକ ସନ୍ତାନ ଜନ୍ମ କରିବାର ଥିଲା ।

ରାମନଗରରେ ଆୟୋଜିତ ଏକ ସଭାରେ ତୀରଥ ସିଂହ କହିଥିଲେ ଯେ, ଲକ୍‌ଡାଉନ୍ ସମୟରେ ପ୍ରତ୍ୟେକ ଘରକୁ ସଦସ୍ୟ ପିଛା ୫ କେଜି ଚାଉଳ ମିଳିଥିଲା । ୧୦ ଜଣ ସଦସ୍ୟ ଥିବା ଘରକୁ ୫୦ କେଜି ଓ ୨୦ ଜଣିଆ ସଦସ୍ୟ ବିଶିଷ୍ଟ ଘରକୁ ଏକ କ୍ୱିଣ୍ଟାଲ ଚାଉଳ ମିଳିଥିଲା । ଦୁଇଟି ସନ୍ତାନ ଥିବା ଲୋକଙ୍କୁ ୧୦ କେଜି ରାସନ ମିଳିଥିଲା । ଅଧିକ ରାସନ ନେଇଥିବା ଲୋକଙ୍କ ପ୍ରତି କିଛି ଲୋକ ଇର୍ଷାନ୍ୱିତ ହୋଇଥିଲେ । ଏଥିପାଇଁ ଦାୟୀ କିଏ? ଯଦି ତୁମେ ଅଧିକ ସନ୍ତାନ ଜନ୍ମ କରିଥାଆନ୍ତ, ତୁମକୁ ମଧ୍ୟ ଅଧିକ ରାସନ୍ ମିଳିଥାନ୍ତା । ତୁମେ ତ ମାତ୍ର ଦୁଇଟି ସନ୍ତାନ ଜନ୍ମ କରିଛ, ଏବେ କାହିଁକି ଅନ୍ୟମାନଙ୍କ ଉପରେ ଜଳୁଛ ?

ସେହିପରି ତୀରଥ ସିଂ କରୋନା ବିରୋଧରେ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପକୁ ପ୍ରଶଂସା କରିବା ସହ ଇଂଲଣ୍ଡ ପରିବର୍ତ୍ତେ ଆମେରିକା ଭାରତକୁ ୨୦୦ ବର୍ଷ ଶାସନ କରିଥିଲା ବୋଲି କହ ଦେଇଥିଲେ ।

ତୀରଥ ସିଂହ ରାୱତଙ୍କ ଏଭଳି ଅଜବ ମନ୍ତବ୍ୟ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରିଛି । ମୋଦି ଏଭଳି ‘ଜ୍ଞାନୀ ଓ ପ୍ରତିଭାବାନ ସମ୍ପନ୍ନ ବ୍ୟକ୍ତ’ଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରୁଛନ୍ତି ବୋଲି କଂଗ୍ରେସ ପ୍ରବକ୍ତା ରଣଦୀପ ସୁର୍ଜେୱାଲା କହିଛନ୍ତି ।

ନିକଟରେ ସେ ଝିଅମାନଙ୍କୁ ‘ଫଟା ଜିନ୍‌ସ’ ପିନ୍ଧିବାରୁ ନିବୃତ ରହିବାକୁ କହି ସମାଲୋଚିତ ହୋଇଥିଲେ ।

Comments are closed.