ଫାଇଜର ଟିକା ନେବାର ସପ୍ତାହକ ପରେ ନର୍ସ ପଜିଟିଭ୍

‌ନ୍ୟୁୟର୍କ – ଫାଇଜର ଦାବି କରିଥିଲା ଯେ, ଏହା ଦ୍ୱାରା ବିକଶିତ ଟିକା କରୋନା ସଂକ୍ରମଣ ରୋକିବାରେ ୯୫% ପ୍ରଭାବୀ । ତେବେ ଏହି ଟିକା ନେବାର ସପ୍ତାହକ ପରେ ଆମେରିକା କାର୍ଲିଫର୍ଣ୍ଣିଆର ଜଣେ ନର୍ସ କୋଭିଡ୍ ପଜିଟିଭ୍ ହୋଇଛନ୍ତି । ଦୁଇଟି ସ୍ଥାନୀୟ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିବା ଡବ୍ଲୁ.ମାଥ୍ୟୁ ଏଭଳି ଅଭିଯୋଗ ଆଣିଛନ୍ତି । ଏକ ଫେସବୁକ୍ ପୋଷ୍ଟ ଜରିଆରେ ସେ କହିଛନ୍ତି ଯେ ସେ ଫାଇଜର ଟିକା ନେଇଥିଲେ । ଟିକା ନେବା ପରେ ତାଙ୍କର ହାତ ଫୁଲିଯାଇଥିଲା । କିନ୍ତୁ ଆଉ କୌଣସି ପାଶ୍ୱର୍ ପ୍ରତିକ୍ରିୟା ହୋଇନଥିଲା । ହେଲେ ଠିକ୍ ସପ୍ତାହକ ପରେ ସେ କୋଭିଡ୍‌-୧୯ ୟୁନିଟରେ କାମ କରୁଥିବା ବେଳେ ଅସୁସ୍ଥ ଅନୁଭବ କରିଥିଲେ । କରୋନା ଭଳି ଲକ୍ଷଣ ତାଙ୍କ ଠାରେ ଦେଖିବାକୁ ମିଳିଥିଲା । ସେ ସନ୍ଦେହରେ ନିଜର କରୋନା ପରୀକ୍ଷା କରାଇଥିଲେ । ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା । ଟିକା ନେବା ସତ୍ତ୍ୱେ ଉକ୍ତ ନର୍ସ କିପରି ପଜିଟିଭ୍ ହେଲେ ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଆମେରିକାର ଜଣେ ସଂକ୍ରାମକ ରୋଗ ବିଶେଷଜ୍ଞ ଖ୍ରୀଷ୍ଟିଆନ ରାମର୍ସ କହିଛନ୍ତି ଯେ, ଟିକା ନେବା ପରେ ଜଣେ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋଧକ କ୍ଷମତା ସୃଷ୍ଟି ହେବା ପାଇଁ ୧୦ରୁ ୧୪ ଦିନ ଲାଗିଥାଏ । ଟିକାର ପ୍ରଥମ ଡୋଜ୍ କେବଳ ୫୦% ସୁରକ୍ଷା ଦେଇଥାଏ । ଦ୍ୱିତୀୟ ଡୋଜ୍ ନେବା ପରେ ହିଁ ଶରୀରରେ ପ୍ରତିରୋଧକ କ୍ଷମତା ୯୫%କୁ ବୃଦ୍ଧି ପାଇଥାଏ ବୋଲି ସେ କହିଛନ୍ତି ।

Comments are closed.