ଫେବୃଆରୀରେ ଇଂଲଣ୍ଡ ଦଳର ଭାରତ ଗସ୍ତ, ମୋଟେରା ଷ୍ଟାଡିୟମରେ ଖେଳାଯିବ ଦିବାରାତ୍ର ଟେଷ୍ଟ

ନୂଆଦିଲ୍ଲୀ – ଆସନ୍ତା ବର୍ଷ ଫେବୃଆରୀରେ ଇଂଲଣ୍ଡ କ୍ରିକେଟ୍ ଦଳ ଭାରତ ଗସ୍ତ କରିବ। ଦୁଇ ଦଳ ମଧ୍ୟରେ ଚାରୋଟି ଟେଷ୍ଟ ମ୍ୟାଚ୍, ତିନୋଟି ଦିନିକିଆ ଏବଂ ପାଞ୍ଚ ଟି-୨୦ ମ୍ୟାଚ୍ ଖେଳାଯିବ । ଚାରି ମ୍ୟାଚ୍ ଟେଷ୍ଟ ସିରିଜ୍ ଫେବୃଆରୀ ୭ରୁ ଆରମ୍ଭ ହେବ । ଏହି ସିରିଜର ଦିବାରାତ୍ର ଟେଷ୍ଟ ଫେବୃଆରୀ ୨୪ରୁ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଖେଳାଯିବ । ଏହିି ସିରିଜରୁ ଭାରତରେ ଅନ୍ତର୍ଜାତୀୟ କ୍ରିକେଟ୍ ଫେରିବ।

କରୋନା ମହାମାରୀ ଯୋଗୁଁ ମାର୍ଚ୍ଚ ଠାରୁ ଭାରତରେ କୌଣସି ଆନ୍ତର୍ଜାତୀୟ କ୍ରିକେଟ୍ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇନାହିଁ। ଏଥର ଆଇପିଏଲ ମଧ୍ୟ ୟୁଏଇରେ ଅନୁଷ୍ଠିତ ହୋଇଥିଲା।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ର ଅଂଶ ହେବ | ଏହି ସିରିଜ ଦୁଇ ଦଳ ଲାଗି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ପହଞ୍ଚିବା ପାଇଁ ଶେଷ ସୁଯୋଗ ହେବ । ଆସନ୍ତା ବର୍ଷ ଲର୍ଡ୍ସ ଗ୍ରାଉଣ୍ଡରେ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଅନୁଷ୍ଠିତ ହେବ। ଇଂଲଣ୍ଡର ଏହି ଗସ୍ତ ବ୍ୟତୀତ ଭାରତୀୟ ଦଳ ମଧ୍ୟ ଆସନ୍ତା ବର୍ଷ ଅଗଷ୍ଟ-ସେପ୍ଟେମ୍ବରରେ ପାଞ୍ଚଟି ଟେଷ୍ଟ ମ୍ୟାଚ୍ ଖେଳିବା ପାଇଁ ଇଂଲଣ୍ଡ ଯିବ। ଉଲ୍ଲେଖନୀୟ କଥା ହେଉଛି, କିଛି ସପ୍ତାହ ପୂର୍ବରୁ ଆଇସିସି ଟେଷ୍ଟ ଚାମ୍ପିଅନସିପ୍‌ର ନିୟମ ବଦଳାଇ ଦେଇଥିଲା । ଯାହା ଫଳରେ ଭାରତୀୟ ଦଳର ମାନ୍ୟତା ପ୍ରଭାବିତ ହୋଇଥିଲା । ଦଳ ପଏଣ୍ଟ୍ ଟେବୁଲରେ ପ୍ରଥମରୁ ଦ୍ୱିତୀୟ ସ୍ଥାନକୁ ଖସି ଆସିଥିଲା।

ଗୁଜୁରାଟ କ୍ରିକେଟ୍ ଷ୍ଟାଡିୟମ୍ ଇନଡୋର ଏକାଡେମୀର ଉଦଘାଟନୀ ଉତ୍ସବରେ ବିସିସିଆଇ ସଚିବ ଜୟ ଶାହା ଇଂଲଣ୍ଡ ଦଳର ଭାରତ ଗସ୍ତ କାର୍ଯ୍ୟସୂଚୀ ନେଇ ସୂଚନା ଦେଇଛନ୍ତି। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ମଧ୍ୟ ଅହମ୍ମଦାବାଦ ଷ୍ଟାଡିୟମରେ ଖେଳାଯିବ ବୋଲି ସେ ସୂଚନା ଦେଇଛନ୍ତି। ଭାରତୀୟ ଦଳ ବର୍ତ୍ତମାନ ଅଷ୍ଟ୍ରେଲିଆ ଗସ୍ତରେ ଅଛି। ଦିନିକିଆ ଏବଂ ଟି-୨୦ ସିରିଜ ଶେଷ ହୋଇଥିବା ବେଳେ ଟେଷ୍ଟ ସିରିଜ୍ ଡିସେମ୍ବର ୧୭ରୁ ଆରମ୍ଭ ହେବ | ଭାରତ ଦିନିକିଆ ସିରିଜ୍ ୧-୨ରେ ହାରିଥିବା ବେଳେ ଟି-୨୦ ସିରିଜକୁ ୨-୧ରେ ଜିତିଥିଲା । ଏବେ ବିରାଟ ବାହିନୀର ନଜର ଟେଷ୍ଟ ସିରିଜ ଉପରେ ରହିଛି।

Comments are closed.