ଫେବୃୟାରୀ ୧ରେ ସଂସଦ ଭବନ ଅଭିମୁଖେ କୃଷକ ନେତାଙ୍କ ପଦଯାତ୍ରା ସ୍ଥଗିତ

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକ ନେତାମାନେ ଫେବୃୟାରୀ ୧ରେ ପ୍ରସ୍ତାବିତ ସଂସଦ ଭବନ ଅଭିମୁଖେ ପଦଯାତ୍ରାକୁ ସ୍ଥଗିତ ରଖିଛନ୍ତି । ଫେବୃୟାରୀ ୧ରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ ହେବ । ସେହିଦିନ ସଂସଦ ଆଡକୁ ପଦଯାତ୍ରା ବାହାର କରିବାକୁ କୃଷକ ନେତାମାନେ ଯୋଜନା କରିଥିଲେ । ତେବେ ଗତକାଲି ଟ୍ରାକ୍ଟର ପରେଡ୍ ବେଳେ ଦିଲ୍ଲୀରେ ଘଟିଥିବା ହିଂସା ପରେ ସଂସଦ ଆଡକୁ ପଦଯାତ୍ରାକୁ କୃଷକମାନେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କୃଷକ ନେତା ଦର୍ଶନ ପାଲ୍ ସୂଚନା ଦେଇଛନ୍ତି । ତେବେ କୃଷି ଆଇନଦ ବିରୋଧରେ ଆନ୍ଦୋଳନ ଜାରି ରହିବ ଏବଂ ଜାନୁୟାରୀ ୩୦ରେ ଦେଶବ୍ୟାପୀ ଚାଷୀମାନେ ଅନଶନରେ ବସିବେ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷେ ରାଜଧାନୀରେ ଘଟିଥିବା ହିଂସାକାଣ୍ଡ ପରେ ଚାଷୀ ଆନ୍ଦୋଳନରୁ ଦୁଇ କୃଷକ ସଂଗଠନ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି । ଟ୍ରାକ୍ଟର ପରେଡ୍ ହିଂସା ମାମଲାରେ ଦିଲ୍ଲୀ ପୋଲିସ୍ ମଧ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଦିଲ୍ଲୀ ପୋଲିସ୍ ଏଯାବତ୍ ୩୬ ଜଣ କୃଷକ ନେତାଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରିଥିବା ବେଳେ ଅନ୍ୟ ଦୋଷୀଙ୍କୁ ଧରିବା ପାଇଁ ସିସିଟିିଭି ଫୁଟେଜ୍ ଯାଞ୍ଚ୍ କରୁଛି । ସେପଟେ ଗତାକାଲି ଘଟିଥିବା ହିଂସାକାଣ୍ଡ ପାଇଁ କୃଷକ ନେତା ସରକାରକୁ ଦାୟୀ କରିଛନ୍ତି । ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି । ଗତକାଲି ଘଟିଥିବା ହିଂସାକାଣ୍ଡ ମଧ୍ୟ ଚାଷୀଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର ଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି ।

Comments are closed.