ଆଇସିସି ଦିନିକିଆ ମାନ୍ୟତା: କୋହଲି, ରୋହିତଙ୍କ ପ୍ରାଧାନ୍ୟ ଅବ୍ୟାହତ

ଦୁବାଇ – ଆଇସିସି ଦ୍ୱାରା ଜାରି ସଦ୍ୟତମ ଦିନିକିଆ ବ୍ୟାଟିଂ ତାଲିକର ପ୍ରଥମ ଦୁଇଟି ସ୍ଥାନରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ସିନିୟର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କ ପ୍ରାଧାନ୍ୟ ଜାରି ରହିଛି । ଭାରତର ଏହି ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ୍ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି । ଅନ୍ୟପକ୍ଷେ ବୋଲିଂ ତାଲିକାରେ ଭାରତର ଷ୍ଟାର ପେସର ଯଶପ୍ରୀତ ବୁମରା ତୃତୀୟ ସ୍ଥାନରେ ରହିଛନ୍ତି ।
ବ୍ୟାଟିଂ ତାଲିକାର ପ୍ରଥମ ଦୁଇ ସ୍ଥାନରେ କୋହଲି ଓ ରୋହିତଙ୍କ ରାଜୁତି ଜାରି ରହିଛି । ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ଶେଷ ଦୁଇ ଦିନିକିଆରେ କୋହଲି ଯଥାକ୍ରମେ ୮୯ ଓ ୬୩ ରନ୍ କରିଥିଲେ । କୋହଲି ୮୭୦ ପଏଣ୍ଟ ସହ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । କୋଭିଡ୍‌-୧୯ ମହାମାରୀ ପରଠାରୁ ଗୋଟିଏ ବି ମ୍ୟାଚ୍ ଖେଳିନଥିବା ସତ୍ତ୍ୱେ ରୋହିତ ବି ପୂର୍ବଭଳି ଦ୍ୱିତୀୟ ସ୍ଥାନରେ ସ୍ଥିର ରହିଛନ୍ତି । ଆଘାତ କାରଣରୁ ସେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିିରିଜ୍ ବି ଖେଳିନଥିଲେ । ଏହି ଷ୍ଟାଇଲିଶ୍ ବ୍ୟାଟ୍ସମ୍ୟାନଙ୍କ ପାଖରେ ୮୪୨ ପଏଣ୍ଟ ରହିଛି । ପାକିସ୍ତାନ ଅଧିନାୟକ ବାବର ଆଜମ ୮୩୭ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି । ନ୍ୟୁଜିଲାଣ୍ଡର ସିନିୟର ବ୍ୟାଟ୍‌ସମ୍ୟାନ୍ ରସ୍ ଟେଲର (୮୧୮) ଚତୁର୍ଥ ଓ ଅଷ୍ଟ୍ରେଲୀୟ ଅଧିନାୟକ ଆରୋନ୍ ଫିଞ୍ଚ୍ (୭୯୧) ପଞ୍ଚମ ସ୍ଥାନ ହାସଲ କରିଛନ୍ତି ।

ବୋଲିଂ ତାଲିକାରେ ବୁମରା ହେଉଛନ୍ତି ଉଚ୍ଚ ମାନ୍ୟତା ପ୍ରାପ୍ତ ଭାରତୀୟ । ସେ ୭୦୦ ପଏଣ୍ଟ୍ ସହ ତୃତୀୟ ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ (୭୨୨) ପ୍ରଥମ ସ୍ଥାନ ବଜାୟରଖିଛନ୍ତି । ଆଫଗାନ ସ୍ପିନର ମୁଜିବ ଉର ରହମାନ ୭୦୧ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।

ନିକଟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିବା ବାଂଲାଦେଶ ସ୍ପିନର ମେହେଦି ହସନ ମିରାଜ ୯ଟି ସ୍ଥାନ ଲମ୍ଫ ଦେଇ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି । ବାଂଲାଦେଶ ପେସର ମୁସ୍ତାଫିଜୁର ରହମାନ ମଧ୍ୟ ୧୯ତମ ସ୍ଥାନରୁ ଅଷ୍ଟମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।

Comments are closed.