ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ: ଆଜିଠୁ କୋଭିଡ୍ ପୂର୍ବ ସମୟ ଅନୁସାରେ ଚାଲିବ ଉଭୟ ଗୃହ

ନୂଆଦିଲ୍ଲୀ – ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଆଜି ହେଉଛି ଦ୍ୱିତୀୟ ଦିବସ । ଆଜିଠୁ ସଂସଦର ଅଧିବେଶନ କୋଭିଡ୍ ପୂର୍ବ ତଥା ପୁରୁଣା ସମୟ ଅନୁସାରେ ଚାଲିବ । ଉଭୟ ଗୃହ ଲୋକସଭା ଓ ରାଜ୍ୟସଭା ବୈଠକ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ।
କରୋନା ଯୋଗୁଁ ରାଜ୍ୟସଭା ଓ ଲୋକସଭାର ଅଧିବେଶନର ସମୟ ସାରଣୀ ଭିନ୍ନ ଥିଲା । ଏବଂ ସାଂସଦମାନେ ଉଭୟ ଗୃହରେ ବସୁଥିଲେ । କିନ୍ତୁ ଆଜିଠୁ ପୁରୁଣା ସ୍ଥିତି ଲାଗୁ ହେବ । ଉଭୟ ଗୃହର ଅଧିବେଶନ ଏକ ସଙ୍ଗେ ବସିବ । ସାଂସଦମାନେ ମଧ୍ୟ ନିଜ ନିଜ ଗୃହରେ ପରସ୍ପରଠାରୁ ଦୂରତା ବଜାୟ ରଖି ବସିବେ ।
ପ୍ରଥମ ଦିନ ଭଳି ଆଜି ମଧ୍ୟ ବିରୋଧୀ ଦଳ ପେଟ୍ରୋଲ ଜାତ ଉତ୍ପାଦର ମୂଲ୍ୟ ବୃଦ୍ଧି ପ୍ରସଙ୍ଗ ଉଠାଇ ପାରନ୍ତି । କଂଗ୍ରେସ ସହ ଅନ୍ୟ ଦଳର ସଦସ୍ୟମାନେ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଛନ୍ତି ।

ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୮ ଯାଏ ଚାଲିବ । ତେବେ ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ, ଆସାମ ଏବଂ ପୁଡୁଚେରୀରେ ୨୭ ମାର୍ଚ୍ଚାରୁ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ସଂସଦର ଏହି ଅଧିବେଶନ କାଣ୍ଟ୍‌ଛାଣ୍ଟ୍ ହେବା ସମ୍ଭାବନା ରହିଛି ।

Comments are closed.