ବିଡେନଙ୍କ ବିଜୟରେ ଲାଗିଲା ମୋହର

ୱାଶିଂଟନ – ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବିଡେନଙ୍କ ବିଜୟ ଉପରେ ମୋହର ଲାଗିଛି । ବିଡେନ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବେ । ଇଲେକ୍ଟୋରଲ କଲେଜ୍ ତାଙ୍କ ବିଜୟ ନେଇ ବିଧିବଦ୍ଧ ଘୋଷଣା କରିଛି । ଦେଶର ସବୁ ୫୦ ରାଜ୍ୟର ଇଲେକ୍ଟ୍ରୋରଲ କଲେଜ୍ ନଭେମ୍ବରରେ ହୋଇଥିବା ନିର୍ବାଚନରେ ବିଡେନ ୩୦୬ ଭୋଟ୍ ପାଇଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ଲାଗି ଜଣେ ପ୍ରାର୍ଥୀଙ୍କୁ ୨୭୦ ଭୋଟ୍ ପାଇବା ଜରୁରୀ । ବିଡେନ୍ ବହୁମତ ସହ ବିଜୟୀ ହୋଇଥିବା ପୂର୍ବରୁ ସ୍ପଷ୍ଟ ହୋଇଥିଲା । ହେଲେ ତାଙ୍କ ବିଜୟକୁ ଇଲେକ୍ଟ୍ରୋରଲ କଲେଜ୍ ଅନୁମୋଦନ କରିବା ଔପଚାରିକାତା ବାକି ଥିଲା, ଯାହା ଏବେ ପୂରଣ ହୋଇଛି । ବିଡେନ୍ ଜାନୁୟାରୀ ୨୦ରେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଶପଥ ନେବେ । ତେବେ ବିଡେନଙ୍କ ବିଜୟକୁ ବିଧିବଦ୍ଧ ସ୍ୱୀକୃତି ମିଳିବା ପରେ ଟ୍ରମ୍ପ୍ ପରାଜୟ ସ୍ୱୀକାର କରି ପଦ ଛାଡ଼ିବାକୁ ପ୍ରସ୍ତୁତ ହେବେ ନା ନାହିଁ ତାହା ଦେଖିବାକୁ ରହିଲା । ରାଷ୍ଟ୍ରପତି ନିର୍ବାଚନ ଫଳଫଳ ଘୋଷଣା ପରଠୁ ଟ୍ରମ୍ପ୍ ନିଜ ପରାଜୟ ସ୍ୱୀକାର କରିବାକୁ ରାଜି ହୋଇନାହାନ୍ତି । ନଭେମ୍ବରରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ବିଡେନଙ୍କୁ ୩୦୬ ଓ ଟ୍ରମ୍ପଙ୍କୁ ୨୩୨ ଇଲେକ୍ଟ୍ରୋରଲ କଲେଜ୍ ଭୋଟ୍ ମିଳିଥିଲା ।

Comments are closed.