ବିଶ୍ୱ ଟେଷ୍ଟ ଚାମ୍ପିୟନସିପ: ଚତୁର୍ଥକୁ ଖସିଲା ଭାରତ, ଫାଇନାଲ ପଥ କଷ୍ଟକର

ଦୁବାଇ – ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଠାରୁ ଶୋଚନୀୟ ପରାଜୟ ପରେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ପଏଣ୍ଟ ତାଲିକାର ପ୍ରଥମ ରୁ ଚତୁର୍ଥ ସ୍ଥାନକୁ ଖସି ଆସିଛି । ଏହି ଉଦଘାଟନୀ ଚାମ୍ପିୟନସିପର ଫାଇନାଲକୁ ଉନ୍ନୀତ ହେବା ଭାରତର ପଥ ମଧ୍ୟ ଏବେ କଷ୍ଟକର ହୋଇପଡିଛି । ଅନ୍ୟପକ୍ଷେ ଭାରତ ବିପକ୍ଷ ବୃହତ ବିଜୟ ପରେ ଇଂଲଣ୍ଡ ଶୀର୍ଷ ସ୍ଥାନକୁ ଉଠିଛି ଏବଂ ଦଳର ଫାଇନାଲ ଖେଳିବା ସମ୍ଭାବନା ଉଜ୍ଜଳ ହୋଇଛି ।

ଚେନ୍ନାଇରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ୪୨୦ ରନର ବିଜୟଲକ୍ଷ୍ୟ ଜବାବରେ ଭାରତ ପଞ୍ଚମ ଦିବସର ଦ୍ୱିତୀୟ ସେସନରେ ମାତ୍ର ୧୯୨ ରନରେ ଅଲ୍‌ଆଉଟ୍ ହୋଇଯାଇଥିଲା । ପଞ୍ଚମ ଦିନ ପିଚରେ ବଲ୍ କ୍ରମାଗତ ଧିମା ରହିବା ସହ ଟର୍ଣ୍ଣ ନେଉଥିଲା ବେଳେ ଅଧିନାୟ କୋହଲି(୭୨) ଓ ଯୁବ ଓପନର ଗିଲ(୫୦)ଙ୍କୁ ଛାଡି ଭାରତର ଅନ୍ୟ ସବୁ ବ୍ୟାଟ୍ସମ୍ୟାନ୍ ଫେଲ୍ ମାରିଥିଲେ ।

ଚଳିତ ବର୍ଷ ଜୁନରେ ଲର୍ଡ୍ସରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ନ୍ୟୁଜିଲାଣ୍ଡ ପୂର୍ବରୁ ଯୋଗ୍ୟତା ହାସଲ କରିସାରିଛି । ନ୍ୟୁଜିଲାଣ୍ଡ ୭୦% ପଏଣ୍ଟ ସହ ପ୍ରଥମ ଦଳ ଭାବେ ଟାଇଟଲ ମୁକାବିଲାକୁ ଉନ୍ନୀତ ହୋଇଛି । ଦ୍ୱିତୀୟ ଦଳ ଭାବେ ଫାଇନାଲକୁ କିଏ ଉନ୍ନୀତ ହେବ ସେନେଇ ଏବେ ଇଂଲଣ୍ଡ, ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରତିଯୋଗିତ ହେବ । ଭାରତ ବିପକ୍ଷ ବୃହତ ବିଜୟ ପରେ ଇଂଲଣ୍ଡର ପ୍ରତିଶତ ପଏଣ୍ଟ ଏବେ ୭୦.୨%କୁ ବୃଦ୍ଧି ପାଇଛି ଏବଳ ଦଳ ତାଲିକାର ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛି । ଇଂଲଣ୍ଡ ଯଦି ସମ୍ପ୍ରତି ଭାରତ ବିପକ୍ଷ ସିରିଜ୍ ୩-୧, ୩-୦ କିମ୍ବା ୪-୦ରେ ଜିତେ, ତେବେ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ସ୍ଥାନ ପାଇବ ।

ଅଷ୍ଟ୍ରେଲିଆ ବିପକ୍ଷ ଐତିହାସିକ ବିଜୟ ପରେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ପଏଣ୍ଟ ତାଲିକାର ଶୀର୍ଷକୁ ଉନ୍ନୀତ ହୋଇଥିଲା । ଏବେ ଇଂଲଣ୍ଡ ଠାରୁ ବୃହତ ପରାଜୟ ପରେ ବିରାଟ ବାହିନୀ ଚତୁର୍ଥ ସ୍ଥାନକୁ ଖସି ଆସିଛି । ଭାରତର ପାଖରେ ଏବେ ୬୮.୩ ପ୍ରତିଶତ ପଏଣ୍ଟ ରହିଛି । ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲକୁ ଉନ୍ନୀତ ହେବାକୁ ହେଲେ ଭାରତକୁ ଚଳିତ ଇଂଲଣ୍ଡ ବିପକ୍ଷ ସିରିଜ ୨-୧ କିମ୍ବା ୩-୧ରେ ଜିିତିବାକୁ ପଡିବ ।

ଭାରତ ଓ ଇଂଲଣ୍ଡ ବ୍ୟତୀତ ଅଷ୍ଟ୍ରେଲିଆ ପାଇଁ ମଧ୍ୟ ଫାଇନାଲ ଖେଳିବା ସୁଯୋଗ ରହିଛି । ଯଦି ଭାରତ-ଇଂଲଣ୍ଡ ସିରିଜ ଡ୍ର ରୁହେ ଅବା ଇଂଲଣ୍ଡ ୧-୦, ୨-୧ କିମ୍ବା ୨-୦ରେ ବିଜୟୀ ହୁଏ ତେବେ ଅଷ୍ଟ୍ରେଲିଆ ଫାଇନାଲକୁ ଉନ୍ନୀତ ହେବ ।

Comments are closed.