ବୁର୍ଲାରେ ଆଉ ୨ କୋଭିଡ ହସପିଟାଲ ଯୋଜନା, ମୋଟ୍ ୪ଟି କୋଭିଡ ହସପିଟାଲରେ ହେବ ଚିକିତ୍ସା

ସମ୍ବଲପୁର: କରୋନାର ଦ୍ବିତୀୟ ଲହର କଳ୍ପନା ବାହାରକୁ ଚାଲିଗଲାଣି । ଏହା ଭୟଙ୍କର ରୂପ ଧାରଣ କରିସାରିଛି । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ମଧ୍ୟ ପ୍ରାଣମୁର୍ଛା ଉଦ୍ୟମ ଚଲାଇଛନ୍ତି । ସାଂପ୍ରତିକ ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ଗତବର୍ଷ ଠାରୁ ୫ ଗୁଣ ଅଧିକ କୋଭିଡ ହସପିଟାଲ ଖୋଲିବାକୁ ଆଜି ନିଷ୍ପତ୍ତି ନେଇଛନ୍ତି । ଏହି ପରିପ୍ରେଖିରେ ଆଜି ବୁର୍ଲାରେ ଆଉ ୨ଟି କୋଭିଡ ହସପିଟାଲ ଖୋଲିବାକୁ ଯୋଜନା ହୋଇଛି । ମୋଟ୍ ୪ଟି ହସପିଟାଲରେ କରୋନା ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇବାକୁ ଲଖ୍ୟ ରଖାଯାଇଛି ।

୩ଦିନ ତଳେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସ୍ବାସ୍ଥ୍ୟ ବିଭାଗୀୟ ମୁଖ୍ୟ ପ୍ରମୁଖଙ୍କ ସହ ବୁର୍ଲା ମେଡିକାଲ ପରିଦର୍ଶନରେ ଆସିଥିଲେ । ସେହି ସମୟରେ ବୁର୍ଲାରେ ବର୍ତମାନ ଥିବା ୧୨୦ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲକୁ ୨୨୫ ଶଯ୍ୟା କରିବାକୁ ଘୋଷଣା କରିଥିଲେ । ଏହାଛଡା ୩୦୦ ଶଯ୍ୟା ବିଶିଷ୍ଟ ଆଉ ଏକ ହସପିଟାଲ ବୁର୍ଲା ମେଡିକାଲ ପରିସରରେ ୧୦ଦିନ କାର୍ଯ୍ୟଖ୍ୟମ ହେବ ବୋଲି ସୂଚନା ଦେଇଥିଲେ । ତେବେ ଉଭୟ ହସପିଟାଲ ୧୦ ଦିନ ମଧ୍ୟରେ ଆରମ୍ଭ କରିବାକୁ କଡା ନିର୍ଦେଶନାମା ବି ଶ୍ରୀ ମହାପାତ୍ର ଦେଇଥିଲେ । ସେପଟେ ଆଜି ସକାଳୁ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା ବୁର୍ଲାରେ ଆଉ ୨ କରୋନା ହସପିଟାଲ ପାଇଁ ସର୍ଭେ କରୁଥିବା ଜଣାପଡିଛି ।

ସମଲେଶ୍ବରୀ ନର୍ସିଂହୋମ ଏବଂ ଗୌରୀଶଙ୍କର ନର୍ସିଂହୋମରେ ଆବଶ୍ୟକ ଭିତ୍ତିଭୂମୀର ଯାଞ୍ଚ କରିଛନ୍ତି । ଗତବର୍ଷ ସମଲେଶ୍ବରୀ ନର୍ସିଂହୋମରେ କୋଭିଡ ହସପିଟାଲ ଖୋଲା ଯାଇଥିବା ବେଳେ ଏଥର ଗୌରୀଶଙ୍କର ନର୍ସିଂହୋମରେ ପ୍ରଥମ କରି କୋଭିଡ ଚିକିତ୍ସା ଆରମ୍ଭ ହେବାକୁ ଯାଉଛି । ତେବେ ଏହି ଦୁଇ ହସପିଟାଲରେ କେତେ ସଂଖ୍ୟକ ବେଡ୍ ରହିବ ତାହା ଚୂଡାନ୍ତ ହୋଇନଥିବା ଜଣାପଡିଛି । ବୁର୍ଲା ମେଡିକାଲ ଉପରେ ସମଗ୍ର ପଶ୍ଚିମ ଓଡିଶା ସମେତ ଛତିଶଗଡର ମଧ୍ୟ ବହୁ ରୋଗୀ ନିର୍ଭର କରୁଥିବାରୁ ଏଠାରେ ସଂକ୍ରମଣ ହାର ବିଶେଷ ଭାବେ ବ୍ରୁଦ୍ଧି ପାଇଛି । ଆଉ ଏହାକୁ ଦେଖି ରାଜ୍ୟ ସରକାର ଆଗୁଆ ପଦଖେପ ନେବାକୁ ଯାଉଛନ୍ତି ।

 

Comments are closed.