ବେଙ୍ଗଲରେ ପରାଜୟ ସ୍ୱୀକାର କଲା ବିଜେପି, ମମତାଙ୍କୁ ଅଭିନନ୍ଦନ ଜଣାଇଲେ ରାଜନାଥ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ଠାରୁ ପରାଜୟ ସ୍ୱୀକାର କରିଛି ବିଜେପି । ଚମତ୍କାର ବିଜୟ ପାଇଁ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅଭିନନ୍ଦନ ଜଣାଇଛନ୍ତି । ରାଜନାଥ ବିଜେପିର ପ୍ରଥମ ନେତା ଭାବେ ନିର୍ବାଚନରେ ବିଜୟ ପାଇଁ ମମତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ରାଜନାଥ ଟ୍ୱିଟ୍ କରି କହିଛନ୍ତି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ ଦଳର ବିଜୟ ପାଇଁ ଅଭିନନ୍ଦନ । ତାଙ୍କ ପରବର୍ତ୍ତୀ କାର୍ଯ୍ୟକାଳ ପାଇଁ ଅନେକ ଶୁଭେଚ୍ଛା ।
ଆଠଟି ପର୍ଯ୍ୟାୟରେ ୨୯୨ ଆସନ ପାଇଁ ହୋଇଥିବା ପଶ୍ଚିମବଙ୍ଗ ନିର୍ବାଚନ ଉଭୟ ଟିଏମ୍‌ସି ଏବଂ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ଥିଲା । କରୋନା ସଂକ୍ରମଣର ରେକର୍ଡ ମାମଲା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହା ବହୁଥର ପଶ୍ଚିମବଙ୍ଗରେ ବିଶାଳ ରାଲିମାନ କରିଥିଲେ । ଅତ୍ୟନ୍ତ ତିକ୍ତତାପୂର୍ଣ୍ଣ ବାତାବରଣ ମଧ୍ୟରେ ହୋଇଥିବା ପଶ୍ଚିମବଙ୍ଗ ନିର୍ବାଚନରେ ମମତାଙ୍କ ତୃଣମୂଳ କଂଗ୍ରେସ ବାଜି ମାରିନେଇଛି । ଦିଦି କ୍ରମାଗତ ତୃତୀୟ ଥର ପାଇଁ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛନ୍ତି ।

Comments are closed.