ବେଙ୍ଗଲ ନିର୍ବାଚନ ନେଇ କହିଲେ ପ୍ରଶାନ୍ତ କିଶୋର, ମେ’୨ ପରେ ମୋର ପୁରୁଣା ଟ୍ୱିଟ୍ ମନେ ପକାଇବ

ନୂଆଦିଲ୍ଲୀ – ବେଙ୍ଗଲ ସମେତ ଅନ୍ୟ ଚାରି ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହି ସବୁ ରାଜ୍ୟ ଗୁଡିକରେ ରାଜନୈତିକ ଉଷ୍ମତା ବଢ଼ି ଯାଇଛି । ବିଶେଷକରି ପୂରା ଦେଶର ନଜର ବେଙ୍ଗଲ ଉପରେ ରହିଛି । ଉଭୟ ତୃଣମୂଳ କଂଗ୍ରେସ ଓ ବିଜେପି ପାଇଁ ବେଙ୍ଗଲ ନିର୍ବାଚନ ସମ୍ମାନର ପ୍ରଶ୍ନ ହୋଇଛି ।
ଇତିମଧ୍ୟରେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଏକ ମନ୍ତବ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।

ପ୍ରଶାନ୍ତ କିଶୋର ଟ୍ୱିଟ୍ କରି କହିଛନ୍ତି ଯେ, ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଲଢ଼େଇ ପଶ୍ଚିମବଙ୍ଗରେ ହେବ । ପଶ୍ଚିମବଙ୍ଗର ଲୋକ ରାଜ୍ୟରେ କେବଳ ନିଜ ‘ଝିଅ’କୁ ଚାହାଁନ୍ତି । ପ୍ରଶାନ୍ତ ଆହୁରି ମଧ୍ୟ କହିଛନ୍ତି ଯେ, ବେଙ୍ଗଲ ନିର୍ବାଚନ ଫଳାଫଳ ନେଇ ସେ କିଛିଦିନ ତଳେ କରିଥିବା ଟ୍ୱିଟ୍ ପୂରା ସତ ସାବ୍ୟସ୍ତ ହେବ । ଉକ୍ତ ଟ୍ୱିଟରେ ପ୍ରଶାନ୍ତ କହିଥିଲେ ଯେ, ବେଙ୍ଗଲ ନିର୍ବାଚନରେ ବିଜେପି ୯୯ରୁ ଅଧିକ ଆସନ ଜିତିପାରିବ ନାହିଁ । ସେ ପୁଣି ଆଜି ଟ୍ୱିଟ କରି ତାଙ୍କର ସେହି ପୂର୍ବାନୁମାନକୁ ଦୋହରାଇବା ସହ କହିଛନ୍ତି – ଭାରତରେ ଲୋକତନ୍ତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଲଢ଼େଇ ପଶ୍ଚିମବଙ୍ଗରେ ହେବ । ବେଙ୍ଗଲ କେବଳ ନିଜର ଝିଅକୁ ଚାହେଁ । ବେଙ୍ଗଲର ଲୋକ ନିଜ ମତ ସହ ପ୍ରସ୍ତୁତ ଏବଂ ନିଜର ‘ରାଇଟ୍ କାର୍ଡ’ ଦେଖାଇବାକୁ ସଂକଳ୍ପବଦ୍ଧ..” । ଏଥିସହ ସେ ଡିସେମ୍ବର ୨୧ରେ ବିଜେପିକୁ ୯୯ରୁ ଅଧିକ ଆସନ ମିଳିବ ନାହିଁ ବୋଲି କରିଥିବା ଟ୍ୱିଟକୁ ବି ମନେ ପକାଇ କହିଛନ୍ତି – ମେ’ ୨ରେ (ଭୋଟ ଗଣତି ଦିନ) ଫଳାଫଳ ଆସିବା ପରେ ଆପଣମାନେ ମୋର ପୁରୁଣା ଟ୍ୱିଟକୁ ମନେ ପକାଇବେ.. ।

ଉଲ୍ଲେଖଯୋଗ୍ୟ ଯେ, ପ୍ରଶାନ୍ତ କିଶୋର ଏଥର ବେଙ୍ଗଲ ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ରଣନୀତିକାର ଅଛନ୍ତି ।

ଗତ ଲୋକସଭା ନିର୍ବାଚନରେ ବେଙ୍ଗଲର ୪୨ ଆସନରୁ ବିଜେପି ୧୮ଟି ଜିତିଥିଲା । ବିଜେପିର ଏଭଳି ଆଶ୍ଚର୍ଯ୍ୟଜନକ ସଫଳତା ପରେ ମମତା, କିଶୋରଭ୍‌କ କମ୍ପାନୀ ଆଇ-ପ୍ୟାକ୍‌କୁ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବାକୁ ହାୟର କରିଥିଲେ ।

Comments are closed.