ବେନାମୀ ସମ୍ପତ୍ତି ମାମଲାରେ ରର୍ବଟ ବାଦ୍ରାଙ୍କ ବୟାନ ରେକର୍ଡ କଲା ଆୟକର ବିଭାଗ

ନୂଆଦିଲ୍ଲୀ – ବେନାମୀ ସମ୍ପତ୍ତି ମାମଲାରେ ଆୟକର ବିଭାଗ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜାମାତା ରର୍ବଟ ବାଦ୍ରାଙ୍କ ଆଜି ବୟାନ ରେକର୍ଡ କରିଛି । ବେନାମୀ ସମ୍ପତ୍ତି ନିୟମାନୁସାରେ ଏହି ମାମଲାରେ ବାଦ୍ରାଙ୍କ ବିରୋଧରେ ତଦନ୍ତ ଚାଲିଛି । ବାଦ୍ରାଙ୍କୁ ଆୟକର ବିଭାଗ କାର୍ଯ୍ୟାଳୟକୁ ଆସି ତଦନ୍ତରେ ସହଯୋଗ କରିବାକୁ କୁହାଯାଇଥିଲା । ହେଲେ କୋଭିଡ୍‌-୧୯ କଟକଣା ଦର୍ଶାଇ ବାଦ୍ରା ଅକ୍ଷମତା ପ୍ରକାଶ କରିବା ପରେ ଆୟକର ବିଭାଗର ଏକ ଟିମ୍ ଦିଲ୍ଲୀର ସୁଖଦେବ ବିହାର ସ୍ଥିତ ତାଙ୍କ ବାସଭବନକୁ ଯାଇ ବାଦ୍ରାଙ୍କ ବୟାନ ରେକର୍ଡ କରିଛନ୍ତି । ବ୍ରିଟେନରେ ବାଦ୍ରାଙ୍କ ନାମରେ ବେନାମୀ ସମ୍ପତ୍ତି ରହିଥିବା ଅଭିଯୋଗରେ ପ୍ରିୟଙ୍କ ଗାନ୍ଧୀଙ୍କ ସ୍ୱାମୀଙ୍କ ବିରୋଧରେ ତଦନ୍ତ ଚାଲିଛି । ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଆଣ୍ଟି ମନି ଲଣ୍ଡ୍ରିଂ ନିୟମ ଅଧୀନରେ ତଦନ୍ତ କରୁଛି । ବାଦ୍ରା ତାଙ୍କ ବିରୋଧରେ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ହଇରାଣ କରଯାଉଛି ବୋଲି ସେ କହିଛନ୍ତି ।

Comments are closed.