ଟିମ୍ ଇଣ୍ଡିଆର ସବୁ ସଦସ୍ୟଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ନେଗେଟିଭ୍

‌ମେଲବୋର୍ଣ୍ଣ – ତୃତୀୟ ଟେଷ୍ଟ ପାଇଁ ସୋମବାର ସିଡନୀ ଯିବା ପୂର୍ବରୁ ଭାରତୀୟ ଖେଳାଳି ଓ କୋଚିଂ ଷ୍ଟାଫଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା । ସୌଭାଗ୍ୟ ବଶତଃ ସବୁ ଖେଳାଳି ଓ ସଦସ୍ୟଙ୍କ ଟେଷ୍ଟ ରିିପୋର୍ଟ ନେଗେଟିଭ୍ ଆସିଛି । ସିଡନୀରେ ଜାନୁୟାରୀ ୭ରୁ ତୃତୀୟ ଟେଷ୍ଟ ଆରମ୍ଭ ହେଉଛି ।

ବିସିସିଆଇ ତରଫରୁ ଏକ ପ୍ରେସ୍ ବିବୃତିରେ କୁହାଯାଇଛି ଯେ, ଜାନୁୟାରୀ ୩ରେ ସବୁ ଖେଳାଳି ଓ କୋଚିଂ ଷ୍ଟାଫ୍ ଙ୍କ ଆରଟି-ପିସିଆର ଟେଷ୍ଟ ହୋଇଥିଲା । ସବୁ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ଏହା ଭାରତୀୟ ଦଳ ପାଇଁ ଆଶ୍ୱସ୍ତିକର ବିଷୟ । କାରଣ ଦୁଇଦିନ ତଳେ କୋଭିଡ୍ ପ୍ରୋଟୋକଲ ଭାଙ୍ଗିବା ଅଭିଯୋଗରେ ଭାରତର ପାଞ୍ଚ ଜଣ ଖେଳାଳିଙ୍କୁ ସଙ୍ଗରୋଧକୁ ପଠାଇ ଦିଆଯାଇଥିଲା । ଏହି ପାଞ୍ଚ ଜଣ ଖେଳାଳି ହେଲେ ଉପଅଧିନାୟକ ରୋହିତ ଶର୍ମା, ରିଷଭ ପନ୍ତ, ନବଦୀପ ସାଇନି, ଶୁବମନ ଗିଲ ଓ ପୃଥ୍ୱୀ ଶ’ । ଏହି ପାଞ୍ଚ ଜଣ ଖେଳାଳି ଏକ ରେସ୍ତୁରାଁରେ ଏକାଠି ଖାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏମାନଙ୍କ ବିରୋଧରେ କୋଭିଡ୍ ପ୍ରୋଟୋକଲ ଉଲ୍ଲଂଘନ ଅଭିଯୋଗ ଆଣିଥିଲା କ୍ରିକେଟ୍ ଅଷ୍ଟ୍ରେଲିଆ । କିନ୍ତୁ ଏହି ଏହି ପାଞ୍ଚ ଜଣ ଖେଳାଳି ଦଳ ସହ ଗୋଟିଏ ଫ୍ଲାଇଟରେ ସିଡନୀ ଯିବାକୁ ଅନୁମତି ମିଳିଛି ।

ଚାରି ମ୍ୟାଚ୍ ବିଶିଷ୍ଟ ସିରିଜ୍ ସମ୍ପ୍ରତି ୧-୧ ସ୍ଥିତିରେ ରହିଛି । ଆଡିଲେଡରେ ଲଜ୍ଜାଜନକ ପରାଜୟ ପରେ ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ମେଲବୋର୍ଣ୍ଣରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଅଷ୍ଟ୍ରେଲିଆକୁ ୮ ୱିକେଟରେ ହରାଇଥିଲା ।

Comments are closed.