ବେୟାରଷ୍ଟୋ-ଷ୍ଟୋକ୍ସଙ୍କ ବିସ୍ଫୋରକ ଇନିଂସ୍, ଦ୍ୱିତୀୟ ଦିନିକିଆରେ ଭାରତକୁ ୬ ୱିକେଟରେ ହରାଇଲା ଇଂଲଣ୍ଡ

ପୁଣେ – ପ୍ରଥମ ମ୍ୟାଚରେ ହାରିବା ପରେ ଇଂଲଣ୍ଡ ଦିନିକିଆ ସିରିଜରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି । ଜନି ବେୟାରଷ୍ଟୋ ଓ ବେନ୍ ଷ୍ଟୋକ୍ସଙ୍କ ବିସ୍ଫୋରକ ଇନିଂସ ବଳରେ ଇଂଲଣ୍ଡ ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତକୁ ୬ ୱିକେଟରେ ଧରାଶାୟୀ କରିଛି।

ପ୍ରଥମ ମ୍ୟାଚ୍ ତୁଳନାରେ ଭାରତ ଆଜି ବଡ଼ ସ୍କୋର କରିଥିଲା । ରାହୁଲଙ୍କ ଶତକ ଓ ରିଷଭ ପନ୍ତଙ୍କ ଧୂଆଁଧାର ଅର୍ଦ୍ଧଶତକ ସହାୟତାରେ ଭାରତ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍ ବିନିମୟରେ ୩୩୬ ରନର ବିଶାଳ ସ୍କୋର କରିଥିଲା । ଲାଗୁଥିଲା ଭାରତ ଏହି ମ୍ୟାଚ୍ ସହ ସିରିଜ୍ ହାତେଇବ । କିନ୍ତୁ ଛକା, ଚୌକା ବର୍ଷା କରି ବେୟାରଷ୍ଟୋ ଓ ଷ୍ଟୋକ୍ସ ଭାରତକୁ ସ୍ତବ୍ଧ କରିଦେଇଥିଲେ । ଏ ଦୁହେଁ ମାତ୍ର ୧୧୯ ବଲରେ ୧୭୫ ରନର ଭାଗିଦାରୀ ସହ କଷ୍ଟକର ମନେ ହେଉଥିବା ଇଂଲଣ୍ଡର ବିଜୟ ସହଜ କରିଦେଇଥିଲେ । ୩୩୭ ରନର ବଜୟଲକ୍ଷ୍ୟକୁ ଇଂଲଣ୍ଡ ମାତ୍ର ୪୩. ୩ ଓଭରରେ ହାସଲ କରିନେଇଥିଲା । ବେୟାରଷ୍ଟୋ ୧୧୨ ବଲରେ ୧୧ଟି ଚୌକା ଓ ୭ଟି ଛକା ସହ ୧୨୪ ରନ୍ କରିଥିବା ବେଳେ ଷ୍ଟୋକ୍ସ କେବଳ ୫୨ ବଲରେ ୪ଟି ଚୌକା ଓ ୧୦ଟି ବିଶାଳ ଛକା ସହ ୯୯ ରନ୍ କରିଥିଲେ । ଆଠ ବଲ୍ ବ୍ୟବଧାନରେ ଷ୍ଟୋକ୍ସ ଓ ବେୟାରଷ୍ଟୋଙ୍କ ସହ ଜୋସ ବଟଲର (୦)ଙ୍କ ୱିକେଟ୍ ନେଇଥିଲା ଭାରତ । କିନ୍ତୁ ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା । ଇଂଲଣ୍ଡକୁ ଜାସନ ରୟ (୫୫) ଓ ବେୟାରଷ୍ଟୋ ପୁଣିଥରେ ଧମାକାଦାର ଷ୍ଟାର୍ଟ ଦେଇ ପ୍ରଥମ ୱିକେଟରେ ୧୧୦ ରନ୍ ଯୋଗ କରିଥିଲେ । ରୟ ଆଉଟ୍ ହେବା ପରେ ବେୟାରଷ୍ଟୋଙ୍କ ସହ ମିଶି ଷ୍ଟୋକ୍ସ ଭାରତ ହାତରୁ ମ୍ୟାଚ ୍ଛଡାଇ ଆଣିଥିଲେ । ଭାରତ ତରଫରୁ ପ୍ରସିଦ୍ଧ କ୍ରିଷ୍ଣା ୨ଟି ଓ ଭୁବନେଶ୍ୱର ଗୋଟିଏ ୱିକେଟ୍ ନେଇଥିଲେ । ଅନ୍ୟ ବୋଲର ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।

ଏହି ଚମକପ୍ରଦ ବିଜୟ ଇଂଲଣ୍ଡ ତିନି ମ୍ୟାଚ୍ ସିରିଜକୁ ୧-୧ ସ୍ଥିତିକୁ ଆଣିଛି । ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ମାର୍ଚ୍ଚ ୨୮ରେ ଖେଳାଯିବ।

ଦ୍ୱିତୀୟ ମ୍ୟାଚରେ ମଧ୍ୟ ଟସ୍ ଇଂଲଣ୍ଡ ସପକ୍ଷରେ ଯାଇଥିଲା। ନିୟମିତ କ୍ୟାପଟେନ୍ ଇଅନ୍ ମୋର୍ଗାନଙ୍କ ବଳଦରେ ଟିମର ମଙ୍ଗ ଧରିଥିବା ଜୋସ୍ ବଟଲର ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଭାରତର ଆରମ୍ଭ ଖରାପ ରହିଥିଲା। ପ୍ରଥମ ମ୍ୟାଚରେ ମାତ୍ର ୨ ରନ୍ ପାଇଁ ଶତକରୁ ବଞ୍ଚିତ ରହିଥିବା ଶିଖର ଧୱନ୍ ମାତ୍ର ୪ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଧୱନଙ୍କୁ ରିସ୍ ଟପଲେ ଆଉଟ୍ କରିଥିଲେ। ଅନ୍ୟତମ ଓପ୍ନର ରୋହିତ୍ ଶର୍ମା ଭଲ ଆରମ୍ଭ କରିଥିଲେ ସୁଦ୍ଧା ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ସେ ୨୫ ରନ୍ (୫ ଚୌକା) ରନ୍ କରି ସାମ୍ କୁରାନଙ୍କ ଶିକାର ହୋଇଥିଲେ।
୩୭ ରନରେ ୨ ୱିକେଟ୍ ହରାଇଥିବା ଭାରତ ପାଇଁ ପାର୍ଟନରଶିପର ଆବଶ୍ୟକ ହେଉଥିବା ବେଳେ କୋହଲି ଓ ରାହୁଲ ଏହି ଦାୟିତ୍ୱକୁ ସୂଚାରୁରୂପେ ତୁଲାଇଥିଲେ। ଦୁହେଁ ତୃତୀୟ ୱିକେଟ୍ ପାଇଁ ୧୨୧ ରନର ଭାଗିଦାରୀ କରିଥିଲେ। କୋହଲି ଆଉ ଏକ ଅର୍ଦ୍ଧଶତକ ମାରି ଶତକ ଅଭିମୁଖେ ଅଗ୍ରସର ହେଉଥିଲେ। କିନ୍ତୁ ଏଥିରେ ସେ ବିଫଳ ହୋଇଥିଲେ। କୋହଲିଙ୍କୁ ଭ୍ରମଣକାରୀ ଦଳର ସ୍ପିନର ଆଦିଲ୍ ରଶିଦ୍ ପ୍ୟାଭିଲିୟନ୍ ପଠାଇଥିଲେ। କୋହଲି ୭୯ ବଲରେ ୬୬ ରନ୍ (୩ ଚୌକା ଓ ୧ ଛକା) କରିଥିଲେ।

ଶ୍ରେୟସ ଆୟରଙ୍କ ସ୍ଥାନରେ ସୁଯୋଗ ପାଇଥିବା ଋଷଭ ପନ୍ତ ଚମତ୍କାର ବ୍ୟାଟିଂ କରିଥିଲେ। ପନ୍ତଙ୍କ ଆସିବା ପରେ ରନ୍ ଗତି ବଢ଼ିଥିଲା ଏବଂ ଭାରତର ବଡ଼ ସ୍କୋର ଆଶା ଉଜ୍ଜୀବିତ ହୋଇଥିଲା। ପନ୍ତ (୭୭, ୪୦ ବଲ୍, ୩ ଚୌକା, ୭ ଛକା)ପୁଣିଥିଲେ ଇଂଲିଶ ଟିମର ବୋଲରଙ୍କୁ ନିର୍ଧୁମ ଧୁଲେଇ କରିଥିଲେ ଏବଂ ରାହୁଲଙ୍କ ସହ ମିଶି ଚତୁର୍ଥ ୱିକେଟ୍ ପାଇଁ ଶତକୀୟ (୧୧୩) ପାର୍ଟନରଶିପ୍ କରିଥିଲେ। ରାହୁଲ୍ ୧୦୮ ବଲରେ କ୍ୟାରିୟରର ପଞ୍ଚମ ଶତକ ମାରିଥିଲେ। ତାଙ୍କ ଇନିଂସରେ ୭ଟି ଚୌକା ଓ ୨ଟି ଛକା ସାମିଲ ଥିଲା । କିନ୍ତୁ ଶତକ ପରେ ତାଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ ଟମ୍ କୁରାନ୍। ରାହୁଲଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ହାର୍ଦ୍ଦିକ(୩୫, ୧୬ ବଲ୍, ୧ ଚୌକା, ୪ ଚକା) ମଧ୍ୟ ଆସୁ ଆସୁ ବ୍ୟାଟ୍ ଚଲାଇଥିଲେ।

ଭାରତର ସ୍କୋର ୩୦୮ ଥିବା ବେଳେ ପନ୍ତଙ୍କୁ ଟମ୍ କୁରାନ୍ ଆଉଟ୍ କରିଥିଲେ। ହାର୍ଦ୍ଦିକଙ୍କୁ ଇନିଂସର ଅନ୍ତିମ ଓଭରରେ ଟପଲେ ଆଉଟ୍ କରିଥିବା ବେଳେ ଡେବ୍ୟୁ ମ୍ୟାଚରେ କମାଲ୍ କରିଥିବା କୃନାଲ୍ ପାଣ୍ଡ୍ୟା ୧୨ ରନ୍ କରି ଅପରାଜିତ ଥିଲେ। ଇଂଲଣ୍ଡ ପକ୍ଷରୁ ରୀସ୍ ଟପଲେ ଓ ଟମ୍ କୁରାନ୍ ୨ଟି ଲେଖାଏ ୱିକେଟଟ୍ ନେଇଥିଲେ।

Comments are closed.