ବ୍ରିସବେନ ଟେଷ୍ଟରେ ଭାରତର ଚମକପ୍ରଦ ବିଜୟ, ସିରିଜ ୨-୧ରେ ହାତେଇଲା ରାହାଣେଙ୍କ ଟିମ୍ , ପନ୍ତ ରନ୍ ଚେଜ୍‌ର ହିରୋ

ବ୍ରିସବେନ- ଅଷ୍ଟ୍ରେଲିଆ ବିରୋଧରେ ଟେଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚରେ ଭାରତର ଚମକପ୍ରଦ ବିଜୟ । ରୋମାଂଚକର ମ୍ୟାଚରେ ଘରୋଇ ଦଳକୁ ୭ ୱିକେଟରେ ହରାଇ ସିରିଜ ୨-୧ରେ ହାତେଇଛି ଟିମ୍ ଇଣ୍ଡିଆ । ଲଗାତର ଦ୍ୱିତୀୟ ଥର ପାଇଁ ଭାରତ ଅଷ୍ଟ୍ରେଲିଆରେ ସିରିଜ୍ ବିଜୟୀ ହୋଇଛି ।

୩୨୮ ରନର ବିଜୟ ଲକ୍ଷ୍ୟକୁ ଭାରତ ୭ ୱିକେଟରେ ହରାଇ ହାସଲ କରିନେଇଥିଲା । ରିଷଭ ପନ୍ତ ଭାରତର ଏହି ଅବିଶ୍ୱସନୀୟ ରନ୍ ଚେଜ୍‌ର ହିରୋ ସାବ୍ୟସ୍ତ ହୋଇଛନ୍ତି । ସେ ଅପରାଜିତ ୮୯ ରନ୍ କରି ଭାରତର ଅବିଶ୍ୱସନୀୟ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ଭାରତର ଏହି ବିଜୟ ସହ ବ୍ରିସବେନରେ ଘରୋଇ ଦଳର ଦୀର୍ଘ ୩୨ ବର୍ଷ ଧରି ଥିବା ଅପରାଜେୟ ଧାରା ଭାଙ୍ଗିଛି ।

ଆଜି ଟେଷ୍ଟର ଶେଷ ଦିନରେ ଭାରତକୁ ବିଜୟ ପାଇଁ ୩୨୪ ରନରେ ଆବଶ୍ୟକ ହେଉଥିଲା । ହାତରେ ଥିଲା ୧୦ ୱିକେଟ । କୌଣସି ୱିକେଟ ନ ହରାଇ ଭାରତ ୪ ରନରୁ ଆଜି ଖେଳିବା ଆରମ୍ଭ କରିଥିଲା । ରୋହିତ ଶର୍ମା ଶୀଘ୍ର ଆଉଟ ହୋଇଥିଲେ ମଧ୍ୟ ଦ୍ୱିତୀୟ ୱିକେଟରେ ଶୁଭମନ ଗିଲ ଓ ପୂଜାରା ଦୃଢ ବ୍ୟାଟିଂ କରିଥିଲେ । ଗିଲ୍ ୯୧ ରନ୍ କରି ଆଉଟ ହୋଇଥିଲେ । ଅଧିନାୟକ ରାହାଣେ ବି ଶୀଘ୍ର ଆଉଟ ହୋଇଥିଲେ । ପୁଣି ଥରେ ରିଷଭ ପନ୍ତଙ୍କୁ ବ୍ୟାଟିଂ ଅର୍ଡରରେ ପ୍ରମୋଟ କରାଯାଇଥିଲା ।

ଚତୁର୍ଥ ୱିକେଟରେ ପନ୍ତ ଓ ପୂଜାରା ଦ୍ରୁତ ରନ୍ ସ୍କୋର କରି ଭାରତକୁ ବିଜୟର ନିକଟତର କରିଥିଲେ ମଧ୍ୟ ପୂଜାରା ଓ ମୟଙ୍କ ଅଗ୍ରୱାଲଙ୍କ ୱିକେଟ କମ୍ ସମୟ ବ୍ୟବଧାନରେ ପଡିଯିବାକୁ ଭାରତ ବ୍ୟାକଫୁଟରେ ରହିଯାଇଥିଲା । ହେଲେ ଷଷ୍ଠ ୱିକେଟରେ ପନ୍ତ ଓ ୱାସିଂଟନ ସୁନ୍ଦରଙ୍କ ସହ ମିଶି ଆକ୍ରମଣାତ୍ମକ ବ୍ୟାଟିଂ କରି ଭାରତକୁ ବିଜୟର ନିକଟବର୍ତୀ କରାଇଥିଲେ । ସୁନ୍ଦର ୨୨ ଓ ଠାକୁର ୨ ରନ୍ କରି ଆଉଟ ହେଲା ପରେ ଭାରତକୁ ବିଜୟ ପାଇଁ ମାତ୍ର ତିନି ରନ୍ ଦରକାର ହେଉଥିଲା । ହାଜେଲଉଡଙ୍କ ବଲରେ ଚୌକା ମାରି ଭାରତକୁ ଐତିହାସିକ ବିଜୟ ଦେଇଥିଲେ ପନ୍ତ ।

Comments are closed.