ଭାରତରେ କରୋନା ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଲୋଡିଲା ଫାଇଜର

ନୂଆଦିଲ୍ଲୀ – ଆମେରିକାର ପ୍ରତିଷ୍ଠିତ ଔଷଧ କମ୍ପାନୀ ଫାଇଜର ଭାରତରେ ଏହାର କରୋନା ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଭାରତୀୟ ଡ୍ରଗ୍ସ ନିୟାମକ (ଡିସିଜିଆଇ) ଠାରୁ ଅନୁମତି ଲୋଡିଛି । ପୂର୍ବରୁ ବ୍ରିଟେନ୍ ଓ ବାହାରେନ୍ ଫାଇଜର ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇସାରିଛନ୍ତି । ବିଭିନ୍ନ କମ୍ପାନୀ ଏବେ ଟିକା ପ୍ରସ୍ତୁତ ଦୌଡ଼ରେ ରହିଥିବା ବେଳେ ଡିଜିସିଆଇ ପ୍ରଥମ ଥର ଏକ ପ୍ରତିଷ୍ଠିତ କମ୍ପାନୀ ଠାରୁ ଅନୁମତି ନେଇ ଆବେଦନ ଗ୍ରହଣ କରିଛି । ଭାରତରେ ନିଜ ଦ୍ୱାରା ବିକଶିତ ଟିକାର ବ୍ୟବହାର, ବିତରଣ ଓ ବିକ୍ରି ପାଇଁ ଡିସେମ୍ବର ୪ରେ ଫାଇଜର ଇଣ୍ଡିଆ ଆବେଦନ କରିଛି ।

ବିଶ୍ୱର ପ୍ରଥମ ଦେଶ ଭାବେ ବ୍ରିଟେନ ଫାଇଜର ଟିକାର ବ୍ୟବହାର ପାଇଁ ଅନୁମତି ଦେଇଥିଲା । ଏହାପରେ ବାହାରେନ୍ ମଧ୍ୟ ଏହି ଟିକାକୁ ମଞ୍ଜୁରି ଦେଇଛି । ଜର୍ମାନ କମ୍ପାନୀ ବାୟୋଏନଟେକ୍ ସହଭାଗିତାରେ ଫାଇଜର ତରଫରୁ ବିକଶିତ ଟିକା କରୋନା ସଂକ୍ରମଣ ରୋକିବାରେ ୯୫% ଫଳପ୍ରଦ ସାବ୍ୟସ୍ତ ହୋଇଥିବା କମ୍ପାନୀ ଦାବି କରିଥିଲା । ଡିସିଜିଆଇ ନିମୟାନୁସାରେ ଭାରତରେ କୌଣସି ଟିକାର ବ୍ୟବହାର ପୂର୍ବରୁ ତାର କ୍ଲିନିକାଲ ଟ୍ରାଏଲ୍ ହେବା ଜରୁରୀ । ତେବେ ଏଭଳି ଟ୍ରାଏଲ ନେଇ ଫାଇଜର ତରଫରୁ ହୋଇଥିବା ଆବେଦନରେ କୌଣସି ଉଲ୍ଲେଖ ହୋଇନାହିଁ ।

Comments are closed.