ଭାରତରେ କୋଭିଡ୍ ଟିକାକରଣ: ବହୁ ଆଡ଼ମ୍ବରେ ଲଘୁକ୍ରିୟା

କୋଭିଡ୍‌ର ଦ୍ୱିତୀୟ ଲହରୀ ଭାରତରେ ସଂକ୍ରମଣ ଓ ମୃତ୍ୟୁର ତାଣ୍ଡବ ରଚିଛି । ଦୈନିକ ସଂକ୍ରମଣ ଓ ମୃତ୍ୟୁରେ ଭାରତ ପ୍ରତିଦିନ ଅଲୋଡ଼ା ରେକର୍ଡ କରୁଛି । ସ୍ୱାସ୍ଥ୍ୟସେବାରେ ଅବ୍ୟବସ୍ଥା ସ୍ଥିତିକୁ ଆହୁରି ସଙ୍ଗୀନ କରିଦେଇଛି । କରୋନା ସଂକ୍ରମଣର ସୁନାମିରେ ଫସିଥିବା ଭାରତର ଜନସାଧାରଣଙ୍କ ପାଇଁ ଟିକା ହିଁ ଏବେ ଏକମାତ୍ର ସୁରକ୍ଷା କବଚ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ହେଲେ ଟିକାର ଅଭାବ ଲୋକଙ୍କ ଚିନ୍ତା ବଢ଼ାଇ ଦେଲାଣି । ବହୁ ଆଡ଼ମ୍ବର ସହକାରେ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନ ଏବେ କେନ୍ଦ୍ର ସରକାରଙ୍କ ଦୂରଦୃଷ୍ଟି ଅଭାବରୁ ବାଟବଣା ହୋଇଯାଇଛି । ନିଜ ଲୋକଙ୍କ କଥା ଚିନ୍ତା ନ କରି ବିଦେଶକୁ କୋଟି କୋଟି ଟିକା ଯୋଗାଣ କରିଥିବା କେନ୍ଦ୍ର ସରକାର ଏବେ ନିଜର ଆବଶ୍ୟକତା ମେଣ୍ଟାଇବାକୁ ସଂଘର୍ଷ କରୁଛନ୍ତି ।

କୋଭିଡ୍ ବିରୋଧରେ ଭାରତରେ ଜାନୁୟାରୀ ୧୬ରୁ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା । କୋଭିଡ୍ ବିରୋଧରେ ବିଶ୍ୱର ଏହା ସର୍ବବୃହତ୍ ଟିକାକରଣ ଅଭିଯାନ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ । ଦେଶର ପ୍ରତି କୋଣ ଅନୁକୋଣରେ ଏହି ଟିକା ଅଭିଯାନ ପହଞ୍ôଚବ । ଟିକା ଉତ୍ପାଦନରେ ଆମେ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ । କେବଳ ଏତିକି ନୁହେଁ, ଆମେ ମଧ୍ୟ ଅନେକ ଦେଶକୁ ଟିକା ପଠାଉଛୁ ବୋଲି ମୋଦି କହିଥିଲେ ।

ଠିକ୍ ତିନି ମାସ ପରେ ମୋଦିଙ୍କ ସେହି ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ହିଁ ରହିଯାଇଛି । ଟିକା ଉତ୍ପାଦନରେ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ବୋଲି ଦାବି କରୁଥିବା ମୋଦି ସରକାର ଏବେ ଟିକା ପାଇଁ ଏବେ ଅନ୍ତର୍ଜାତୀୟ ସହାୟତା ଲୋଡିଛନ୍ତି । ଟିକା ଅଭାବରୁ ଦେଶରେ ଟିକାକରଣ ଅଭିଯାନ ବାଧାପ୍ରାପ୍ତ ହୋଇଛି । ୧୩୦ କୋଟି ବିଶିଷ୍ଟ ଜନସଂଖ୍ୟାର ୨% ପ୍ରତିଶତ ଲୋକଙ୍କ ବି ଟିକାକରଣ ହୋଇନାହିଁ । ଟିକାର ଅଭାବ ଯୋଗୁଁ ଅଧିକାଂଶ ରାଜ୍ୟରେ ଟିକାକରଣ କେନ୍ଦ୍ର ବନ୍ଦ ହୋଇଗଲାଣି ।

ଟିକାକରଣର ପ୍ରଥମ ପର୍ଯ୍ୟାୟରେ ସରକାର ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖଭାଗ କୋଭିଡ୍ ଯୋଦ୍ଧାଙ୍କୁ ଟିକା ଦେବାକୁ ନିଷ୍ପତ୍ତି ନେଇଥିଲେ । ପରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କ ପାଇଁ ଟିକା ଉପଲବ୍ଧ କରାଗଲା । ସଂକ୍ରମଣର ଭୟଙ୍କର ଗତି ପରେ ଚାରିଆଡୁ ଚାପରେ ଆସି କେନ୍ଦ୍ର ସରକାର ମେ ୧ରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କ ଟିକାକରଣକୁ ଅନୁମତି ଦେଇଛନ୍ତି । ହେଲେ ଟିକା ମିଳୁନଥିବାରୁ ଏତେ ଲୋକଙ୍କ ଟିକାକରଣ କିପରି କରାଯିବ ସେନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ମେ ୧ରୁ ଆରମ୍ଭ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ମୋଦି ସରକାରଙ୍କ କିଛି ଏକତରଫା ନିଷ୍ପତ୍ତି ମଧ୍ୟ ରାଜ୍ୟମାନଙ୍କୁ ଦ୍ୱନ୍ଦରେ ପକାଇଛି । ଟିକାର ମୂଲ୍ୟ ଠାରୁ ଆରମ୍ଭ କରି ରାଜ୍ୟମାନଙ୍କୁ ଟିକା ବଣ୍ଟନ ନୀତିରେ କିଛି ପରିବର୍ତ୍ତନ କରାଯାଇଛି । ଟିକା ଉତ୍ପାଦନକାରୀ କମ୍ପାନୀମାନେ ନିଜ ଉତ୍ପାଦନର ୫୦% ଭାଗ ସିଧାସଳଖ ରାଜ୍ୟ ଓ ଘରୋଇ ହସ୍ପିଟାଲ ମାନଙ୍କୁ ବିକ୍ରି କରିବାକୁ ଅନୁମତି ଦିଆଯାଇଛି । କେନ୍ଦ୍ର ସରକାର ଟିକା କମ୍ପାନୀଙ୍କ ଠାରୁ ଏକ ନିର୍ଦ୍ଦିଷ୍ଟ ମୂଲ୍ୟରେ ଟିକା କିଣୁଛନ୍ତି । କିନ୍ତୁ ରାଜ୍ୟମାନେ କମ୍ପାନୀଙ୍କ ଠାରୁ ସେହି ଟିକା କିଣିଲେ ଅଧିକ ଖର୍ଚ୍ଚ କରିବାକୁ ପଡିବ । କେନ୍ଦ୍ର ଓ ରାଜ୍ୟମାନଙ୍କ ପାଇଁ ଟିକା ମୂଲ୍ୟ ଭିନ୍ନ ଭିନ୍ନ ହେବା ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଟିକା ମୂଲ୍ୟ ନିର୍ଦ୍ଧାରଣ କରିବା ପୂର୍ବରୁ ମୋଦି ସରକାର ରାଜ୍ୟମାନଙ୍କ ସହ କାହିଁକି ପରାମର୍ଶ କରିନଥିଲେ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।

Comments are closed.