ଭାରତୀୟ ଖେଳାଳିଙ୍କୁ ପୁଣି ବର୍ଣ୍ଣବୈଷମ୍ୟ ଆକ୍ଷେପ, ଦର୍ଶକଙ୍କୁ ଗ୍ରାଉଣ୍ଡରୁ ହଟାଗଲା, କ୍ରିକେଟ୍ ଅଷ୍ଟ୍ରେଲିଆର କ୍ଷମା ପ୍ରାର୍ଥନା

ନୂଆଦିଲ୍ଲୀ – ସିଡନୀରେ ଚାଲିଥିବା ତୃତୀୟ ଟେଷ୍ଟରେ ଭାରତୀୟ ଖେଳାଳି ପୁଣି ଦର୍ଶକଙ୍କ ଠାରୁ ବର୍ଣ୍ଣ ବୈଷମ୍ୟ ଆକ୍ଷେପର ଶିକାର ହୋଇଛନ୍ତି । ଆଜି ଚତୁର୍ଥ ଦିବସରେ ମଧ୍ୟ କିଛି ଦର୍ଶକ ଭାରତୀୟ ଖେଳାଳିଙ୍କ ପ୍ରତି ଜାତିଗତ ଟିପ୍ପଣୀ କରିଥିଲେ । ଏନେଇ ଭାରତୀୟ ଦଳର ଅଭିଯୋଗ ପରେ କିଛି ଦର୍ଶକଙ୍କୁ ଗ୍ରାଉଣ୍ଡରୁ ହଟାଯାଇଥିଲା ।

ଆଜି ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସର ୮୬ତମ ଓଭର ପରେ ଦର୍ଶକଙ୍କ ତରଫରୁ ଜାତିଗତ ଟିପ୍ପଣୀ ନେଇ ଭାରତୀୟ ଅଧିନାୟକ ଅଜିଙ୍କ୍ୟ ରାହାଣେ ସ୍କ୍ୱାୟର ଲେଗ୍ ଅମ୍ପାୟରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାହାଣେଙ୍କ ସହ ସବୁ ଭାରତୀୟ ଖେଳାଳି ଏକାଠି ଏନେଇ ଅମ୍ପାୟରଙ୍କ ସହ ଆଲୋଚନା କରିଥିଲେ । ସ୍କୋୟାର ଲେଗ୍‌ରେ ଫିଲ୍ଡିଂ କରୁଥିବା ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଅଭିଯୋଗ କରିଥିଲେ ଯେ, କାମେରନ ଗ୍ରୀନ୍ ତାଙ୍କ ବଲରେ ଲଗାତର ଦୁଇଟି ଛକା ମାରିବା ପରେ କିଛି ଦର୍ଶକ ତାଙ୍କୁ ଗାଳି କରିବା ସହ ଜାତିଗତ ଆକ୍ଷେପ କରିଥିଲେ । ଏହି ଘଟଣା ପାଇଁ ଖେଳ ପ୍ରାୟ ୧୫ ମିନିଟ୍ ଧରି ବାଧାପ୍ରାପ୍ତ ହୋଇଥିଲା । ଅମ୍ପାୟର ଏନେଇ ଗ୍ରାଉଣ୍ଡର ସୁରକ୍ଷା ଅଧିକାରୀଙ୍କୁ ଜଣାଇବା ପରେ କିଛି ଦର୍ଶକଙ୍କୁ ଷ୍ଟାଡିୟମରୁ ହଟାଇଯାଇଥିଲା । ଏହାପରେ ଖେଳ ପୁଣି ଆରମ୍ଭ ହୋଇଥିଲା । ପରେ ଏହି ଘଟଣା ପାଇଁ କ୍ରିକେଟ୍ ଅଷ୍ଟ୍ରେଲିଆ ଭାରତୀୟ ଦଳକୁ କ୍ଷମା ପ୍ରାର୍ଥନ ବି କରିଥିଲା ।

ଗତକାଲି ତୃତୀୟ ଦିବସରେ ଯଶପ୍ରୀତ ବୁମରା ଓ ସିରାଜଙ୍କ ପ୍ରତି ବର୍ଣ୍ଣବୈଷମ୍ୟ ଆକ୍ଷେପ ହେବା ପରେ ଭାରତୀୟ ଦଳ ଏନେଇ ମ୍ୟାଚ୍ ରେଫରିଙ୍କ ନିକଟରେ ଅଭିଯୋଗ ରୁଜୁ କରିଥିଲା ।

Comments are closed.