ଭାରତୀୟ ମହିଳା କ୍ରିକେଟ୍ ଷ୍ଟାର ହରମନପ୍ରୀତ କରୋନା ସଂକ୍ରମିତ

ନୂଆଦିଲ୍ଲୀ – ଭାରତୀୟ ମହିଳା ଟି୨୦ ଦଳର ଅଧିନାୟିକା ହରମନପ୍ରୀତ କୌର କରୋନାରେ ସଂକ୍ରମିତ ହୋଇଛନ୍ତି । କରୋନାର ସାମାନ୍ୟ ଲକ୍ଷଣ ପ୍ରକାଶ ପାଇବା ପରେ ସେ ନିଜର କୋଭିଡ ଟେଷ୍ଟ କରାଇଥିଲେ । ତାଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି ।

ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ହରମନପ୍ରୀତ ଖେଳିଥିଲେ । କିନ୍ତୁ ଆଘାତ କାରଣରୁ ସେ ଟି୨୦ ସିରିଜରୁ ଓହରି ଯାଇଥିଲେ ।

ପଞ୍ଜାବର ପଟିଆଲାରେ ରହୁଥିବା ହରମନପ୍ରୀତ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ପଞ୍ଜାବ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ସେ ବର୍ତ୍ତମାନ ଘରେ ଆଇସୋଲେସନରେ ଅଛନ୍ତି ।
ଗତ ଚାରି ଦିନ ଧରି ହରମନପ୍ରୀତଙ୍କୁ ଜ୍ୱର ହୋଇଥିଲା । ଏହି ସମୟରେ ତାଙ୍କ ଠାରେ କରୋନାର ସାମାନ୍ୟ ଲକ୍ଷଣ ବି ପ୍ରକାଶ ପାଇଥିଲା । ପରେ ସେ ନିଜର କୋଭିଡ୍ ଟେଷ୍ଟ କରିଥିଲେ । ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା ବୋଲି ପଞ୍ଜାବ ସ୍ୱାସ୍ଥ୍ୟ ବିଭାଗ କହିଛି ।

ନିକଟରେ ଅନେକ ଲୋକପ୍ରିୟ ପୁରୁଷ କ୍ରିକେଟର ମଧ୍ୟ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସମେତ ପୂର୍ବତନ ଖେଳାଳି ୟୁସୁଫ୍ ପଠାନ ଓ ତାଙ୍କ ଭାଇ ଇର୍ଫାନ୍ ପଠାନ ଓ ଏସ୍‌.ବଦ୍ରିନାଥ କରୋନାରେ ସଂକ୍ରମିତ ହୋଇଥିଲେ । ଏହି ଚାରି ଖେଳାଳି ନିକଟରେ ରାୟପୁରରେ ଅନୁଷ୍ଠିତ ରୋଡ୍ ସେଫ୍ଟି ୱାର୍ଲ୍ଡ ସିରିଜରେ ଇଣ୍ଡିଆ ଲିଜେଣ୍ଡ୍‌ସ ପାଇଁ ଖେଳିଥିଲେ । ତେନ୍ଦୁଲକର ଏହି ଦଳର ନେତୃତ୍ୱ ନେଇଥିଲେ । ଫାଇନାଲରେ ଶ୍ରୀଲଙ୍କାକୁ ହରାଇ ଇଣ୍ଡିଆ ଲିଜେଣ୍ଡ୍‌ସ ଚାମ୍ପିୟନ ହୋଇଥିଲା । ଉକ୍ତ ଟୁର୍ଣ୍ଣାମେଣ୍ଟ ଦର୍ଶକଙ୍କ ଗହଣରେ ଖେଳାଯାଇଥିଲା । ଭାରତ ଓ ଶ୍ରୀଲଙ୍କା ବ୍ୟତୀତ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍ ଓ ଇଂଲଣ୍ଡର ପୂର୍ବତନ ଷ୍ଟାର ଖେଳାଳି ମଧ୍ୟ ରୋଡ୍ ସେପ୍ଟି ୱାର୍ଲ୍ଡ ସିରିଜରେ ଅଂଶଗ୍ରହଣ କରିଥିଲେ ।

Comments are closed.