ଭାରତ ବନ୍ଦର ପ୍ରଭାବ, ଅନେକ ସ୍ଥାନରେ ରେଳରୋକ ସହ ଧାରଣା, ଦିଲ୍ଲୀ ମେଟ୍ରୋ ସେବା ବାଧାପ୍ରାପ୍ତ

ନୂଆଦିଲ୍ଲୀ – କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ ବିରୋଧରେ କୃଷକ ସଂଗଠନ ମାନଙ୍କ ତରଫରୁ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ବନ୍ଦର ପ୍ରଭାବ ଦେଶର ବହୁ ସ୍ଥାନରେ ଦେଖିବାକୁ ମିଳିଛି । ଶିକ୍ଷାନୁଷ୍ଠାନ ଓ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିବା ବେଳେ ରେଳ ଓ ସଡ଼କ ପରିବହନ ବାଧାପ୍ରାପ୍ତ ହୋଇଛି । ଅନେକ ସ୍ଥାନରେ ବିକ୍ଷୋଭକାରୀ ରେଳରୋକ କରିବା ସହ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

ଆଜି ସକାଳୁ ହିଁ ଦିଲ୍ଲୀ-ୟୁପିକୁ ସଂଯୋଗ କରୁଥିବା ଗାଜିପୁର ସୀମାକୁ ଚାଷୀମାନେ ଅବରୋଧ କରି ରଖିଛନ୍ତି । ସେହିପରି ଦିଲ୍ଲୀ-ହରିୟାଣା ସିଂଘୁ ସୀମାରେ ମଧ୍ୟ ବିକ୍ଷୋଭକାରୀଙ୍କ ଧାରଣା ଫଳରେ ଏହି ରାସ୍ତା ଦେଇ ଯାନବାହାନ ଚଳାଚଳ ବନ୍ଦ ରହିଛି ।
ଅନ୍ୟପକ୍ଷେ ପଞ୍ଜାବରେ ପ୍ରଦର୍ଶନକାରୀ ରେଳ ଟ୍ରାକ୍‌ରେ ବସି ଧାରଣା ଦେବା ଯୋଗୁଁ ଚାରି ଶତାବ୍ଦୀ ଏକ୍ସପ୍ରେସ୍ ସହ ୩୨ ଟ୍ରେନ୍ ବାତିଲ କରାଯାଇଛି । ଦିଲ୍ଲୀ, ଅମ୍ବାଲା ଓ ଫିରୋଜପୁର ଡିଭିଜନ ଅଧୀନ ଅନେକ ଟ୍ରେନ୍‌କୁ ମଧ୍ୟ ବାତିଲ କରାଯାଇଛି ।

ଉତ୍ତର ପ୍ରଦେଶରେ ଭାରତ ବନ୍ଦ ଆନ୍ଦୋଳନ ବେଳେ ପୋଲିସ୍ ସର୍ବଭାରତୀୟ କିଷାନ ସଭାର ୟୁପି ସଂପାଦକ ମୁକୁଟ ସିଂହଙ୍କୁ ଗୃହବନ୍ଦୀ କରିଛି । ବେଙ୍ଗାଲୁରୁରେ ମଧ୍ୟ ପୋଲିସ୍ ଅନେକ କୃଷକ ନେତାଙ୍କୁ ଗିରଫ କରିଥିବା ଖବର ମିଳିଛି ।

Comments are closed.