ମଧ୍ୟ ପ୍ରଦେଶ: ୯୯% କୁମ୍ଭ ଫେରନ୍ତା କରୋନା ପଜିଟିଭ୍‌, ୨୨ ତୀର୍ଥଯାତ୍ରୀଙ୍କ ପତ୍ତା ମିଳୁନି

ଭୋପାଳ: କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ମଧ୍ୟରେ କୁମ୍ଭମେଳା ଆୟୋଜନ ନେଇ ବୁଦ୍ଧିଜୀବୀ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମହଲରେ ପ୍ରଶ୍ନ ଉଠିଥିଲା । କୁମ୍ଭମେଳା ସଂକ୍ରମଣର ‘ସୁପର ସ୍ପ୍ରେଡର’ ସାଜିବ ବୋଲି ଯାହା ଆଶଙ୍କା କରାଯାଉଥିଲା, ତାହା ଏବେ ସତ ହେବାରେ ଲାଗିଛି । ମଧ୍ୟ ପ୍ରଦେଶର କୁମ୍ଭମେଳା ଫେରନ୍ତା ଏବେ ସୁପର ସ୍ପ୍ରେଡର ସାଜିଥିବା ମନେ କରାଯାଉଛି । ଏହି ରାଜ୍ୟର ୯୯ ପ୍ରତିଶତ କୁମ୍ଭ ଫେରନ୍ତା କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ହରିଦ୍ୱାରରେ ଅନୁଷ୍ଠିତ କୁମ୍ଭମେଳାରୁ ଫେରିଥିବା ରାଜ୍ୟର ୬୧ ତୀର୍ଥଯାତ୍ରୀଙ୍କ ମଧ୍ୟରୁ ୬୦ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଆଉ ୨୨ ଜଣ କୁମ୍ଭ ଫେରନ୍ତାଙ୍କ ପତ୍ତା ମିଳୁନାହିଁ । ମଧ୍ୟ ପ୍ରଦେଶରେ କରୋନା ମାମଲା କ୍ରମାଗତ ବଢ଼ୁଥିବା ବେଳେ କୁମ୍ଭ ଫେରନ୍ତା ଚିନ୍ତା ବଢ଼ାଇ ଦେଇଛନ୍ତି । ରାଜ୍ୟରେ ଏଯାବତ୍ ମୋଟ ୫,୭୫,୭୦୬ ଲୋକ କୋଭିଡ୍‌-୧୯ ପଜିଟିଭ୍ ହୋଇଛନ୍ତି । ମଧ୍ୟ ପ୍ରଦେଶରେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୮,୫୧୧ରେ ପହଞ୍ଚିଛି ।
ବିଶ୍ୱର ଅନ୍ୟତମ ବୃହତ ଧାର୍ମିକ ସମାବେଶ କୁମ୍ଭମେଳା କରୋନାର ଦ୍ୱିତୀୟ ଲହରୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କରୋନା ସଂକ୍ରମଣର ରେକର୍ଡ ଧାରା ମଧ୍ୟରେ କୁମ୍ଭମେଳାକୁ କିପରି ଅନୁମତି ଦିଆଗଲା ସେନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ । କୁମ୍ଭମେଳାରୁ ଫେରିଥିବା ଅନେକ ରାଜ୍ୟର ଅଧିକାଂଶ ତୀର୍ଥଯାତ୍ରୀ ପରେ କରୋନା ପଜିଟିଭ୍ ହୋଇଥିଲେ । ସଂକ୍ରମଣ ବଢ଼ୁଥିବାରୁ କୁମ୍ଭ ଫେରନ୍ତାଙ୍କ ପାଇଁ ସମ୍ପୃକ୍ତ ରାଜ୍ୟ ତରଫରୁ କଡ଼ା କ୍ୱାରେଣ୍ଟାଇନ୍ ନିୟମ ଲାଗୁ କରାଯାଇଥିଲା ।

Comments are closed.